ଅହମଦାବାଦ: ନାଗରିକତ୍ବ ସଂଶୋଧନ ଆଇନ୍ ବିରୋଧରେ ଦେଶର ଅଧିକାଂଶ ଅଞ୍ଚଳରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳୁଛି । ଉଗ୍ରରୂପ ଧାରଣ କରିଥିବା ପ୍ରଦର୍ଶନକାରୀ ପୋଲିସ ଉପରକୁ ଢେଲାମାଡ କରୁଛନ୍ତି। ଏହା ମଧ୍ୟରେ ପ୍ରଦର୍ଶନର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠି କିଛି ପ୍ରଦର୍ଶନକାରୀ ଯୁବକଙ୍କ ଉଦାରତା ଦେଖିବାକୁ ମିଳିଛି। ହିଂସକ ଭିଡ ଦ୍ବାରା ଆକ୍ରମଣର ଶିକାର ହେଉଥିବା ପୋଲିସକର୍ମୀଙ୍କୁ ରକ୍ଷା କରିଛନ୍ତି ଏହି ଯୁବକ।
ଅହମଦାବାଦର ଶହ-ଏ-ଆଲମ ଅଞ୍ଚଳରେ ଗୁରୁବାର ହଜାର ହଜାର ପ୍ରଦର୍ଶନକାରୀଙ୍କ ଦ୍ବାରା କରାଯାଉଥିବା ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ବଡ ବଡ ଇଟା ପଥରରେ ସେମାନେ ପୋଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଭିଡରୁ ନିଜକୁ ରକ୍ଷା କରିବା ପାଇଁ ଜଣେ ପୋଲିସକର୍ମୀ ବସ୍ ଭିତରକୁ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ତଳେ ପଡିଯାଇଥିଲା । ଏହାପରେ ନୃସଂଶ ଭିଡ ତାଙ୍କ ଉପରକୁ ପଥର ମାଡ କରିବା ଆରମ୍ଭ କରି ଦେଇଥିଲା। ଏହା ଦେଖି ସେହି ଭିଡରୁ ହିଁ 7 ଜଣ ଯୁବକ ଆଗକୁ ଆସି ଉକ୍ତ ପୋଲିସକର୍ମୀଙ୍କୁ ସୁରକ୍ଷା ଦେଇଥିଲେ ।
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସମ୍ପୃକ୍ତ ଯୁବକଙ୍କ ବାହାଦୂରୀ ପାଇଁ ଲୋକେ ସେମାନଙ୍କ ପ୍ରସଂଶା କରିବା ସହ ସେମାନଙ୍କୁ ସଲାମ କରୁଛନ୍ତି।