ଭୋପାଳ: ହତ୍ୟା ସନ୍ଦେହରେ ଅର୍ଦ୍ଧଦଗ୍ଧ ମୃତଦେହକୁ ଚିତାରୁ ଉଠାଇ ନେଲା ପୋଲିସ । ପତ୍ନୀ ଆଣିଥିଲେ ହତ୍ୟାର ଅଭିଯୋଗ । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶ, ରାଜଗଡ଼ର ଖୋୟରୀ ରୋଡ଼ରେ ରହୁଥିବା 25 ବର୍ଷିୟ ନାନୁରାମ ତନୱରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସୋମବାର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ପହଞ୍ଚିଥିଲେ । ସେପଟେ ଏକ ମାସ ଧରି ବାପ ଘରେ ରହୁଥିବା ମୃତକଙ୍କ ପତ୍ନୀ ରେଖା ବାଇ ସ୍ବାମୀଙ୍କ ମୃତ୍ୟୁକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ।

ଅଭିଯୋଗର କିଛି ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ପରେ ମୃତଦେହକୁ ପୁନର୍ବାର ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଅସୁସ୍ଥତା ହେତୁ ନାନୁରାମ ମୃତ୍ୟୁ ବରଣ କରିଥିବା ବେଳେ ଆଜି ତାଙ୍କର ଶେଷ ରୀତିନୀତି କରାଯାଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି।
ଏପଟେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହେତୁ ପତ୍ନୀ ଏକ ମାସ ଧରି ତାଙ୍କ ବାପ ଘରେ ରହି ଆସୁଥିଲେ ଏବଂ ସମ୍ପର୍କୀୟମାନେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ବିଷୟରେ ମଧ୍ୟ ତାଙ୍କୁ ଜଣାଇ ନଥିଲେ । ଏନେଇ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ