ଲକ୍ଷ୍ନୌ: ସିଏଏକୁ ବିରୋଧ କରି ଦୀର୍ଘ 47 ଦିନ ହେବ କିଛି ଲୋକ ଲକ୍ଷ୍ନୌର କ୍ଲକ ଟାୱାର ନିକଟରେ ପ୍ରତିବାଦ କରି ଆସୁଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ସେମାନଙ୍କୁ ଜବରଦସ୍ତ ପୋଲିସ ହଟେଇବାକୁ ଚେଷ୍ଟା କରିବା ସହ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଛି ।
ପ୍ରକାଶଥାଉକି, ପୋଲିସ ବିଳମ୍ବିତ ରାତିରେ ସେଠାରେ ପହଞ୍ଚି ଲାଠି ଚାର୍ଜ ଆରମ୍ଭ କରିଦେଇଥିଲା । ଏଥିରେ ମହିଳାଙ୍କ ସମତେ କିଛି ପୁରୁଷ ଓ 5 ବର୍ଷର ଶିଶୁ ମଧ୍ୟ ସାମିଲ ଥିଲା । ଏହାସହ ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ୟମେନ୍ ଖାନଙ୍କୁ ଗିରଫ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ କହିବାନୁସାରେ, ପୋଲିସ ନିର୍ଦ୍ଦୟ ଭାବେ ସମସ୍ତଙ୍କୁ ମାରିବାକୁ ଲାଗିଥିଲା । ଏହାସହ 5 ବର୍ଷର ଶିଶୁକୁ ମଧ୍ୟ ପୋଲିସ ଛାଡିନଥିଲା । ପରେ ଶିଶୁକୁ ପୋଲିସ ଜିପ୍ ରୁ ଫୋପାଡିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ଅନ୍ୟଜଣେ ଆନ୍ଦୋଳନକାରୀ ମହିଳାଙ୍କ କହିବାନୁସାରେ, ବିଳମ୍ବିତ ରାତିରେ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଉଠାଇ ନିଆଗଲା । ଅଧା ବାଟରେ ତାଙ୍କୁ ଓହ୍ଲେଇ ଦେଇଥିବା ବେଳେ ତାଙ୍କ ସ୍ବାମୀଙ୍କୁ କୁଆଡେ ନେଇଯାଇଥିବା କହିଛନ୍ତି । ଏହି ଘଟଣା ପରେ ପୋଲିସ ଏକ ଲିଖିତ ବୟାନ ଜାରି କରି, ଗିରଫ କରାଯାଇଥିବା ଲୋକ କୌଣସି ପୂର୍ବ ମାମଲାରେ ସମ୍ପୃକ୍ତ ଥିବା କହିଛି । ଏହାସହ କୌଣସି ଶିଶୁକୁ ନିଆଯାଇନଥିବା କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ