ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି- ମାଙ୍ଗାଲୋର ଗ୍ୟାସ ପାଇପ ଲାଇନର ଉଦଘାଟନ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । କୋଚି- ମାଙ୍ଗାଲୋର ପର୍ଯ୍ୟନ୍ତ ମୋଟ 450 କି.ମି. ଗ୍ୟାସ ପାଇପଲାଇନ ତିଆରି କରାଯାଇଛି ।
କେରଳର କୋଚିରୁ ମାଙ୍ଗାଲୋର ପର୍ଯ୍ୟନ୍ତ ନୂତନ ଭାବରେ ତିଆରି କରାଯାଇଥିବା ଗ୍ୟାସ ପାଇପ ଲାଇନକୁ ପିଏମ ମୋଦି ଜାନୁୟାରୀ 5 ତାରିଖ ଦିନ 11 ସମୟରେ ଭିଡିଓ କନଫରେନ୍ସି ଜରିଆରେ ଲୋକାର୍ପଣ କରିବେ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଦେଶ ଏକ ଗ୍ୟାସ ପରିଯୋଜନାର ଏକ ବଡ ଉପଲବ୍ଧି ହେବ । ଏହି ଗ୍ୟାସ ପାଇପ ଲାଇନ 2009ରେ ଆରମ୍ଭ କରାଯାଇଥିଲା କିନ୍ତୁ ଜମି ଅଧିଗ୍ରହଣକୁ ନେଇ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଦୀର୍ଘ ବର୍ଷ ପରେ ଏହି ପାଇପ ଲାଇନର ନିର୍ମାଣ କାର୍ଯ୍ୟ ଶେଷରେ 16 ନଭେମ୍ବର 2020ରେ ଶେଷ ହୋଇଛି । ଏହି ପାଇପ ଲାଇନ ପାଇଁ ମୋଟ 5750 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଏହି ପାଇପ ଲାଇନର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେରଳ ଓ କର୍ଣ୍ଣାଟକ ରାଜ୍ୟର ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେବେ । ଏହି ଗ୍ୟାସ ପାଇପ ଲାଇନକୁ ଗେଲ ଇଣ୍ଡିଆ ପକ୍ଷରୁ ତିଆରି କରାଯାଇଛି ।
@ANI