ପୁଣେ: ଅହମଦାବାଦ ଓ ହାଇଦ୍ରାବାଦ ଗସ୍ତ ପରେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେରମ ଇନଷ୍ଟିଚ୍ୟୁଟରେ ଭ୍ୟାକ୍ସିନର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।
ହାଇଦ୍ରାବାଦର ଭାରତ ବାୟୋଟେକରେ ଭ୍ୟାକ୍ସିନର ସମୀକ୍ଷା ପରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ସେରମ ଇନଷ୍ଟିଚ୍ୟୁଟ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏଠାରେ ଏକ କନଫରେନ୍ସ ରୁମରେ ମୋଦି କିଛି ସମୟ ଭ୍ୟାକ୍ସିନ ସମ୍ପର୍କରେ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ପୁଣେର ସେରମ ଇନଷ୍ଟିଚ୍ୟୁଟରେ କୋଭାସିଲଡର ଅନେକ ଡୋଜ ପ୍ରସ୍ତୁତ ହୋଇସାରିଲାଣି ।
ସେରମ ଇନଷ୍ଟିଚ୍ୟୁଟରେ ଅକ୍ସଫୋର୍ଡ ଓ ଆଷ୍ଟ୍ରୋଜେନିକା ମିଳିତ ଭାବରେ କୋଭାସିଲଡ୍ ଟୀକା ପ୍ରସ୍ତୁତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପରେ ଦିଲ୍ଲୀ ଅଭିମୁଖେ ଫେରିଯାଇଛନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅହମଦାବାଦର ଜାୟଡସ୍ ବାୟୋଟେକ୍ ପାର୍କ ଓ ହାଇଦ୍ରାବାଦର ଭାରତ ବାୟୋଟେକ ଗସ୍ତ କରି ଭ୍ୟାକ୍ସିନ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଭାରତ ବାୟୋଟେକରେ ପ୍ରଧାନମନ୍ତ୍ରୀ ଟୀକା ପ୍ରସ୍ତୁତିରେ ଲାଗିଥିବା ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।