ନୂଆଦିଲ୍ଲୀ : ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ଗୁରୁବାର ନିର୍ବାଚିତ ହୋଇଛି ଭାରତ । ବର୍ତ୍ତମାନ ଭାରତ ୨୦୨୧-୨୨ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଛି । ଏହି ନିର୍ବାଚନରେ ୧୯୨ଟି ମଧ୍ୟରୁ ଭାରତ ସମର୍ଥନରେ ୧୮୪ଟି ଭୋଟ୍ ପଡିଥିଲା । ତେବେ ଭାରତର ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ବୈଶ୍ବିକ ଶାନ୍ତି ଏବଂ ସୁରକ୍ଷାକୁ ପ୍ରୋତ୍ସାହନା ଦେବା ପାଇଁ କାର୍ଯ୍ୟ କରିବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏନେଇ ଟ୍ବିଟ କରି କହିଛନ୍ତି, 'ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ପାଇଁ ବୈଶ୍ବିକ ସମୁଦାୟ ଦ୍ବାରା ଦିଆଯାଇଥିବା ସମର୍ଥନ ପାଇଁ ମୁଁ କୃତଜ୍ଞ । ଭାରତ ବୈଶ୍ବିକ ଶାନ୍ତି, ସୁରକ୍ଷା ଏବଂ ଏକତାକୁ ପ୍ରୋତ୍ସାହନା ଦେବା ପାଇଁ ସମସ୍ତ ସଦସ୍ୟଙ୍କ ସହ ମିଳିମିଶି କାମ କରିବ । '
ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି ଏନେଇ କହିଛନ୍ତି, ଏହି ନିର୍ବାଚନରେ ଭାରତକୁ ଭାରି ସମର୍ଥନ ମିଳିଛି । ଭାରତ ବହୁପକ୍ଷୀୟ ପ୍ରଣାଳୀକୁ ଆହୁରି ମଜବୁତ କରିବା ପାଇଁ ନେତୃତ୍ବ ନେବା ସହ ନୂଆ ମାର୍ଗ ପ୍ରଶସ୍ତ କରିବ ।
ସୂଚନାଯୋଗ୍ୟ ଯେ, ଜାତିସଂଘ ମୁଖ୍ୟାଳୟରେ କୋରୋନା ଭାଇରସ ସହ ଜଡିତ ପ୍ରତିବନ୍ଧକ ହେତୁ ସ୍ୱତନ୍ତ୍ର ଭୋଟ୍ ବ୍ୟବସ୍ଥା କରାଯାଇଥିଲା । ଅସ୍ଥାୟୀ ସଦସ୍ୟ ଭାବରେ ୧୫ ଟି ଦେଶର ସୁରକ୍ଷା ପରିଷଦରେ ଯୋଗଦେବାକୁ ଭାରତ ପ୍ରାୟ ନିଶ୍ଚିତ ଥିଲା। ୨୦୨୧-୨୦୨୨ ଅବଧି ପାଇଁ ଭାରତ ଏସିଆ-ପଶାନ୍ତ ମହାସାଗରୀୟ ଅଞ୍ଚଳରୁ ଏକମାତ୍ର ଅସ୍ଥାୟୀ ସଦସ୍ୟ ରହିବ । ଏହି ଆସନ ପାଇଁ ଭାରତ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଭାରତର ବିଜୟ ମଧ୍ୟ ସ୍ଥିର ହୋଇଥିଲା।
ସୌଜନ୍ୟ: ANI