ହାଇଦ୍ରାବାଦ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ଫରିଦାବାଦ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଲ୍ଲଭଗଡ ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ହରିୟାଣାର ବିକାଶ ସବୁବେଳେ ମୋର ପ୍ରାଥମିକତା ରହିଆସିଛି ।
ବିରୋଧୀଙ୍କୁ ଆକ୍ରମଣ କରି କହିଛନ୍ତି ଯେତେବେଳେ ଗତ ପାଞ୍ଚବର୍ଷ ତଳେ ମୁଁ ହରିୟାଣାରେ ଭାଜପା ସରକାର ପ୍ରତିଷ୍ଠା କରିବା ପାଇଁ କହୁଥିଲି ବିରୋଧୀ ମୋତେ ପ୍ରଶ୍ନ କରୁଥିଲେ ମୋଦିଜୀ ହରିୟାଣାରେ ଆପଣଙ୍କ କ୍ୟାପଟେନ କିଏ ? ସେତେବେଳେ ମୁଁ କହିଥିଲି ହରିୟାଣା ଲୋକଙ୍କର ଆର୍ଶୀବାଦ ମିଳିଲେ ଏକ ମଜବୁତ କ୍ୟାପଟେନ ଦେବୁ । ଖାଲି କ୍ୟାପଟେନ ନୁହେଁ ଏକ ଦକ୍ଷ ଟିମ ମଧ୍ୟ ହରିୟାଣାକୁ ଦେବୁ ବୋଲି କହିଥିଲି । ଯେଉଁମାନେ କ୍ୟାପଟେନ (ମୁଖ୍ୟମନ୍ତ୍ରୀ) ପ୍ରାର୍ଥୀକୁ ନେଇ ପ୍ରଶ୍ନ ଉଠାଉଥିଲେ ଆଜି ସେମାନେ ନିଜ ଭଙ୍ଗାଦଳକୁ ନେଇ ଆହୁରି ଭାଙ୍ଗିବାରେ ଲାଗିଛନ୍ତି ବୋଲି କହିଛନ୍ତି ମୋଦି । ଏହା ସହିତ କଂଗ୍ରେସକୁ ଟାର୍ଗେଟ କରି ମୋଦି କହଛନ୍ତି ଦେଶର ବିକାଶରେ ସବୁବେଳେ ବାଧା ଦେଉଛି କଂଗ୍ରେସ ଦଳ ।
ସୂଚନାଯୋଗ୍ୟଯେ ଚଳିତ ମାସ 21ରେ ହରିୟାଣା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଯେଉଁଥିପାଇଁ ଏବେ ହରିୟାଣାରେ ପ୍ରଚାର ଜୋରଦାର ଚାଲୁଛି । ହରିୟାଣା ବିଧାନସଭା ପାଇଁ ବିଜେପି ନିଜର ଇସ୍ତାହାର ଜାରି କରିବା ପରେ ପ୍ରଚାରକୁ ଆକ୍ରାତ୍ମକ କରିଛି । ଆଜି ପ୍ରଧାନମନ୍ତ୍ରୀ ଫରିଦାବାଦ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଲ୍ଲଭଗଡ ଠାରୁ ଦଳ ପାଇଁ ପ୍ରଚାର କରିଛନ୍ତି ।