ନୂଆଦିଲ୍ଲୀ: ଏନଡିଏ ନୈଶ୍ୟଭୋଜିରେ ନରେନ୍ଦ୍ର ମୋଦିଙ୍କୁ ତାରିଫ । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ସହଯୋଗୀ ଦଳର ନେତା । ମୋଦିଙ୍କ ନେତୃତ୍ବ ଉପରେ ଭରଷା ଏବଂ ପ୍ରଶଂସା ନେଇ ପାରିତ ହେଲା ପ୍ରସ୍ତାବ । ଏନଡିଏ ଫ୍ରେମର ସେଣ୍ଟରରେ ମୋଦି ।
ଗୁରୁବାର ଭୋଟଗଣତି । ଗଣତନ୍ତ୍ର ମହାପର୍ବର ବାହାରିବ ଫଳାଫଳ । ଆଉ ଠିକ ଏହାର ଦୁଇଦିନ ପୂର୍ବରୁ ମଙ୍ଗଳବାର ଏନଡିଏ ଆୟୋଜନ କରିଥିଲା ନୈଶ୍ୟଭୋଜି । ସାମିଲ ହୋଇଥିଲେ ଛୋଟବଡ 36 ଦଳ । ଏନଡିଏ ଚେୟାରପର୍ସନ ଶାହଙ୍କ ଅଧ୍ୟକ୍ଷତାରେ ପାରିତ ହୋଇଥିଲା ମୋଦିଙ୍କ ନେତୃତ୍ବ ଉପରେ ଭରସା ଓ ପ୍ରଂଶସାର ପ୍ରସ୍ତାବ ।
ଦୀର୍ଘ 5 ବର୍ଷଧରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ଭୂରିଭୂରି ପ୍ରଂଶସା କରିଥିଲେ ସହଯୋଗୀ ଦଳରେ ନେତା । ନେତୃତ୍ବ ଉପରେ ଭରସା ବି ଜୁଟାଇଥିଲେ । ମୋଦିଙ୍କ ଉପରେ ଦେଶର ଆଶିର୍ବାଦ ରହିଛି ଏବଂ ପୁଣିଥରେ ଏନଡିଏ ସରକାର ଗଢିବା ନେଇ ବେଶ ଆଶାବାଦୀ ଥିଲେ ସମସ୍ତେ । ଏକ ବଡ ଫୁଳମାଳ ଦେଇ ମୋଦିଙ୍କୁ ସମ୍ମାନ କରାଯାଇଥିଲା । ଫ୍ରେମର ଥିଲେ ମୋଦି । ଖୋଦ ଏନଡିଏ ଚେୟାରପର୍ସନ ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ନରେନ୍ଦ୍ର ମୋଦିଙ୍କୁ କରିଥିଲେ ସମ୍ମାନୀତ ।