ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବୋଲସନାରୋଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଏନେଇ ମୋଦି ଟ୍ବିଟ କରି କହିଛନ୍ତି । ସେ ନିଜ ଟ୍ବିଟରେ କହିଛନ୍ତି,'ରାଷ୍ଟ୍ରପତି ଜାୟର ବୋଲସନାରୋ ଶୀଘ୍ର ଶୁସ୍ଥ ହୁଅନ୍ତୁ । ତୁମର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । '
ବ୍ରାଜିଲ ରାଷ୍ଟ୍ରପତି କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ନିଜେ ଘୋଷଣା କରିଥିଲେ । ସେ ଏକ ଟିଭି ଚ୍ୟାନେଲ ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ । ତେବେ ସେ ଏହି ମହାମାରୀ ବିରୋଧରେ ଲଢି ଖିବ ଶୀଘ୍ର ସୁସ୍ଥ ହେବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧର ବ୍ୟବହାର କରି ମୁଁ କୋରୋନା ଭାଇରସରୁ ସୁସ୍ଥ ହୋଇଯିବି ବୋଲି ସେ କହିଛନ୍ତି ।
ତେବେ ଏପ୍ରିଲରେ ହାଇଡ୍ରୋକ୍ସିକ୍ଲୋରୋକୁଇନର ରପ୍ତାନୀ ଉପରୁ ପ୍ରତିବନ୍ଧକ ହ୍ରାସ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ମୋଦିଙ୍କ ଏହି ପଦକ୍ଷେପକୁ ସେ ରାମାୟଣର ପ୍ରଭୁ ହନୁମାନ ଏବଂ ସଞ୍ଜୀବନୀ ବୁଟି ସହ ତୁଳନା କରିଥିଲେ । ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ଯେପରି ହନୁମାନ ହିମାଳୟରୁ ସଞ୍ଜିବନୀ ଆଣିଥିଲେ ଏବଂ ପ୍ରଭୁ ଯୀଶୁ ଅସୁସ୍ଥ ଥିବା ଲୋକଙ୍କୁ ସୁସ୍ଥ କରିବା ପାଇଁ ବାର୍ଟିମୁଙ୍କ ଦୃଷ୍ଟିଶକ୍ତି ପୁନଃ ସ୍ଥାପିତ କରିଥିଲେ ସେହିଭଳି ଭାବରେ ଭାରତ ଏବଂ ବ୍ରାଜିଲ ଏହି ବିଶ୍ୱ ସଙ୍କଟକୁ ଦୂର କରିବେ ବୋଲି ରାଷ୍ଟ୍ରପତି କହିଥିଲେ ।