ନୂଆଦିଲ୍ଲୀ: ଆଜି ହେଉଛି ଶିଶୁ ଦିବସ । ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ । ସେ ଶିଶୁଙ୍କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶବ୍ୟାପୀ ଶିଶୁ ଦିବସ ପାଳନ କରାଯାଏ।
ପଣ୍ଡିତ ନେହେରୁ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ । ତେଣୁ ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ସାରା ଦେଶ ଆଜି ବଡ ଆନନ୍ଦରେ ଶିଶୁ ଦିବସ ପାଳୁଛି । ଦେଶରୁ ଏହି ମହାନ୍ ବ୍ୟକ୍ତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶିଶୁ ଦିବସର ଶୁଭକାମନା ଜଣାଇଛନ୍ତି । ଧର୍ମ ନିରପେକ୍ଷ, ପ୍ରଗତିଶୀଳ ଓ ଆଧୁନିକ ଭାରତ ନିର୍ମାଣରେ ନେହେରୁ ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଲେଖିଛନ୍ତି ।