ନୂଆଦିଲ୍ଲୀ: ଟ୍ବିଟର ଭଳି ଚୀନରେ ପ୍ରଚଳିତ ସୋସିଆଲ ମିଡିଆ ଆକାଉଣ୍ଟ ୱିଆଇବୋରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୋଫାଇଲ ବୁଧବାର ହଟାଇ ଦିଆଯାଇଛି । ଚୀନର 59 ଟି ଆପକୁ ଭାରତରେ ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ୱିଆଇବୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 115 ଟି ପୋଷ୍ଟ ଥିଲା। ସେଗୁଡିକୁ ଡିଲିଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ବହୁ ପରିଶ୍ରମ ପରେ 113 ଟି ପୋଷ୍ଟ ଡିଲିଟ ହୋଇଥିବା ଜଣାପଡିଛି । ତେବେ ଏହି ପୋଷ୍ଟ ବ୍ୟତୀତ ହ୍ୟାଣ୍ଡେଲରୁ ତାଙ୍କ ଫଟୋ ଏବଂ କମେଣ୍ଟ ମଧ୍ୟ ଡିଲିଟ କରାଯାଇଥିବା ଜଣାପଡିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୱିଆଇବୋ ଆକାଉଣ୍ଟ 2015 ମସିହାରେ ଖୋଲା ଯାଇଥିଲା । ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଚୀନ ଗସ୍ତ ସମୟରେ ମୋଦିଙ୍କର ଏହି ଆକାଉଣ୍ଟ ଖୋଲାଯାଇଥିଲା । ଏହାପରେ ତାଙ୍କର 2 ଲକ୍ଷ 44 ହଜାର ଫଲୋଅର୍ସ ହୋଇଥିଲେ । ସେଥିମଧ୍ୟରୁ ଅଧିକାଂଶ ଚୀନ ନାଗରିକ ଥିଲେ । ତେବେ 2015 ରୁ ମୋଦି ପ୍ରତିବର୍ଷ ଜୁନ 15 ତାରିଖରେ ଚୀନ ରାଷ୍ଟ୍ରପତି ଜିନ ପିଂଙ୍କୁ ଏହି ଆକାଉଣ୍ଟରୁ ଜନ୍ମଦିନର ଶୁଭେଚ୍ଛା ଜଣାଉଥିଲେ । ହେଲେ ଚଳିତ ବର୍ଷ ସେ ଏଭଳି କରିନଥିଲେ । ଏହା ବ୍ୟତୀତ ମୋଦି ଜିନ ପିଂଙ୍କ ସାକ୍ଷାତକାର ପରେ ଏହି ଆକାଉଣ୍ଟରୁ ସନ୍ଦେଶ ଦେଉଥିଲେ । ମୋଦିଙ୍କ ୱେଇବୋ ଆକାଉଣ୍ଟରେ ପୋଷ୍ଟ ମଧ୍ୟ ଚୀନ ଭାଷାରେ ଲେଖାଯାଉଥିଲା ।