ନୂଆଦିଲ୍ଲୀ: ଖୁବଶିଘ୍ର ସାଉଦି ଆରବ ଗସ୍ତରେ ଯାଇ ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ ନିବେଶ, ଆର୍ଥିକ ସହଯୋଗକୁ ନେଇ ଆଲୋଚନା ହେବ ।
ଏହା ସହିତ ସାଉଦି ଆରବ ରାଜଧାନୀ ରିୟାଦ ଠାରେ ଆୟୋଜିତ ହେବାକୁ ଥିବା ନିବେଶ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେବା ନେଇ ସୂଚନା ମିଳିଛି । ମଧ୍ୟ ପଶ୍ଚିମ ଏସୀୟାରେ ଅବସ୍ଥିତ ଉପସାଗରୀୟ ଦେଶଙ୍କ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।
ଗତ ଅକ୍ଟୋବର 2 ତାରିଖରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ମଧ୍ୟ ସାଉଦି ଆରବ ଗସ୍ତରେ ଯାଇଥିଲେ । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରୋଡ ମ୍ୟାପ ପ୍ରସ୍ତୁତ ପାଇଁ ଏନଏସଏ ସେଠାକୁ ଯାଇଥିଲେ ବୋଲି ଅନୁମାନ କରାଯାଉଛି ।