ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ସହ ଉଭୟ ଦେଶର କୋରୋନା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ଭାରତର ଔଷଧ ଉତ୍ପାଦନର କ୍ଷମତାକୁ ସମଗ୍ର ମାନବିକତାର ହିତରେ ଲଗାଇବେ ବୋଲି ଏହି ଅବସରରେ ପ୍ରକାଶ କରିଛନ୍ତି ।
କୋରୋନା ଦ୍ବାରା ସୃଷ୍ଟ ବିଭିନ୍ନ ଆହ୍ବାନ ଗୁଡିକୁ ମୁକାବିଲା କରିବା ପାଇଁ ଦୁଇଦେଶ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିବା ନେଇ ସରକାରୀ ବିବୃତ୍ତିରେ କୁହାଯାଇଛି । ଅନ୍ୟପକ୍ଷରେ ଫିଲିପାଇନ୍ସ ରାଷ୍ଟ୍ରପତି ଦେଶକୁ ଅତ୍ୟାବଶ୍ୟକ ଡାକ୍ତରୀ ଉତ୍ପାଦ ଯୋଗାଣ ବଜାୟ ରଖିବା ପାଇଁ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ଆଲୋଚନାରେ ମହାମାରୀ ବିରୁଦ୍ଧ ଲଢେଇରେ ଫିଲିପାଇନ୍ସକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସ୍ବାସ୍ଥ୍ୟସଙ୍କଟ ସମୟରେ ନିଜନିଜ ଦେଶରେ ନାଗରିକଙ୍କ କଲ୍ୟାଣ ନିଶ୍ଚିତ କରିବା ପାଇଁ ଉଭୟ ନେତା ସଂକଳ୍ପ ନେଇଛନ୍ତି । ପ୍ରତିରକ୍ଷା ସହଯୋଗ ସମେତ ଦ୍ବିପାକ୍ଷିକ ସମ୍ପର୍କର ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଥିବା ସରକାରୀ ବିବୃତ୍ତିରେ କୁହାଯାଇଛି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ମହାମାରୀରେ ସ୍ବାସ୍ଥ୍ୟ ଓ ଅର୍ଥନୈତିକ ପ୍ରଭାବକୁ ହ୍ରାସ କରିବା ଦିଗରେ ଉଭୟ ଦେଶ କାର୍ଯ୍ୟ କରିବେ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଇଣ୍ଡୋ-ପାସିଫିକ ଅଞ୍ଚଳରେ ଭାରତ ଫିଲିପାଇନ୍ସକୁ ଏକ ଗୁରୁତ୍ବପୂର୍ଣ୍ଣ ଭାଗୀଦାର ଭାବରେ ଦେଖୁଛି ବୋଲି ମୋଦି କହିଛନ୍ତି । ଏହା ସହ ଆସନ୍ତା ଜାତୀୟ ଦିବସ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଡୁଟେର୍ଟ ଓ ଫିଲିପାଇନ୍ସର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
@PTI