ନୂଆଦିଲ୍ଲୀ: ରେଳମନ୍ତ୍ରୀ ପିୟୁଷ ଗୋଏଲ ନିଜ ଟ୍ବିଟର ପେଜରେ ସେୟାର କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ଆମୋଦିତ ମଧ୍ୟ କରିଛି । ଦଣ୍ଡ ବୈଠକ ମାରିଲେ 10ଟଙ୍କାର ପ୍ଲାଟଫର୍ମ ଟିକେଟ ମାଗଣା ମିଳୁଥିବା ଏକ ଭିଡିଓ ସେ ସେୟାର କରିଛନ୍ତି ।
ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏପରି ସୁବିଧା ଆରମ୍ଭ କରାଯାଇଛି । ଭିଡିଓ ସେୟାର କରିବା ସହ କେନ୍ଦ୍ରମନ୍ତ୍ରୀ ଏକ କ୍ୟାପସନ ଦେଇଛନ୍ତି , ସେଥିରେ ସେ ଲେଖିଛନ୍ତି ଯେ ‘ଫିଟନେସ ସହ ସଞ୍ଚୟ: ଦିଲ୍ଲୀ ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଫିଟନେସରୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ପ୍ରୟୋଗ’ ।
ସୂଚନାଯୋଗ୍ୟ, ଦିଲ୍ଲୀ ଆନନ୍ଦ ବିହାର ରେଲଓ୍ବେ ଷ୍ଟେଶନରେ ଶୁକ୍ରବାର ଏହି ମେସିନକୁ ଉଦଘାଟନ କରାଯାଇଛି । ଏହା ଦେଶର ପ୍ରଥମ ସିଟ୍-ଅପ୍ ମେସିନ ବୋଲି ସୂଚନା ରହିଛି । ଏହାକୁ ‘ଫିଟ୍ ଇଣ୍ଡିଆ ଦଣ୍ଡ ବୈଠକ ମେସିନ୍’ ନାମ ରଖାଯାଇଛି । ଏହି ମେସିନରେ 180 ସେକେଣ୍ଡରେ 30 ଥର ଉଠ ବସ୍ ହେଲେ ଆପେ ଆପେ ପ୍ଲାଟଫର୍ମ ଟିକେଟ ମେସିନରୁ ମିଳିଯିବ ।