ନୂଆଦିଲ୍ଲୀ: ନାଇଜେରିଆରେ ଜଳଦସ୍ୟୁମାନେ 5 ଭାରତୀୟ ନାବିକଙ୍କୁ ଅପହରଣ କରି ନେଇଛନ୍ତି । ଏହି ଖବର ମିଳିବା ପରେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ । ଗତ ମାସରେ ଉକ୍ତ ଘଟଣା ଘଟିଥିଲା । ଏପର୍ଯ୍ୟନ୍ତ ସେମାନଙ୍କ ଠାବ ହୋଇନାହିଁ । ସେପଟେ ଉକ୍ତ ଘଟଣାକୁ ନେଇ ସୁଷମା ଗୁରୁତ୍ବର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭାରତୀୟ ନାବିକଙ୍କୁ ତୁରନ୍ତ ମୁକ୍ତ କରିବା ନେଇ ନାଇଜେରିଆ ସରକାରଙ୍କ ସହ ଆଲୋଚନା କରିବା ପାଇଁ ସେଠାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସୁଷମା ନିର୍ଦ୍ଦେଶ ଦେଇଛନ୍ତି ।
ଭାରତୀୟ ଉଚ୍ଚାୟୁକ୍ତ ଏବଂ ସେଠାକାର ସରକାରଙ୍କ ସହ ସାକ୍ଷାତ କରି ନାବିକଙ୍କୁ ମୁକ୍ତ କରିବା ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରିପାରନ୍ତି ସୁଷମା ସ୍ବରାଜ। ରିପୋର୍ଟ ମୁତାବକ, 5 ଭାରତୀୟ ନାବିକ 2 ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଜଳଦସ୍ୟୁଙ୍କ କବଜାରେ ଅଛନ୍ତି । ଏନେଇ ତାଙ୍କ ପରିବାର ଲୋକେ ସୁଷମାଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନେଇ ମଙ୍ଗଳବାର ସୁଷମା ସ୍ବରାଜ ପରିବାରକୁ ଆଶ୍ବସନା ଦେଇ ଟ୍ବିଟ କରିଛନ୍ତି, ଅପହରଣ ହୋଇଥିବା ଭାରତୀୟଙ୍କୁ ମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିଛି ବୋଲି ଲେଖିଛନ୍ତି ।
ସୂଚନା ଥାଉକି, ଗତ ଏପ୍ରିଲ 19ରେ ଏମଟି ଆପେକସ ନାମକ ଜାହାଜ ନାଇଜେରିଆର ରାଜଧାନୀ ଲାହୋଗସରେ ଲଙ୍ଗର ପକାଇଥିବା ବେଳେ ସେଥିରେ ଥିବା 7 କର୍ମଚାରୀଙ୍କୁ ଅପହରଣ କରାଯାଇଥିଲା । ସେଥିମଧ୍ୟରୁ 5 ଭାରତୀୟ ଥିବା ଜଣାପଡିଛି ।