ହାଇଦ୍ରାବାଦ: କୋରୋନା ଆତଙ୍କ ଲୋକଙ୍କ ଭିତରେ ଏପରି ଖେଳିଯାଇଛି ଯେ ସାମାନ୍ୟ ଜ୍ବର କିମ୍ବା ଥଣ୍ଡା ହେଲେ ସେମାନେ ଆତଙ୍କିତ ହୋଇପଡୁଛନ୍ତି । ଡାକ୍ତରଙ୍କ ପରାମର୍ଶ ନେବା ସହ ଆଗ କୋରୋନା ଟେଷ୍ଟ କରୁଛନ୍ତି । କାଶ, ଜ୍ବର, ଗଳାବ୍ୟଥା, ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା କୋରୋନା ରୋଗର ସାଧାରଣ ଲକ୍ଷଣ ବୋଲି ସମସ୍ତେ ଜାଣିଛନ୍ତି ।
ହେଲେ ଆଖି ରଙ୍ଗ ପିଙ୍କ୍ ଦେଖାଗଲେ ଏହା ମଧ୍ୟ କୋଭିଡ 19ର ଅନ୍ୟତମ ଲକ୍ଷଣ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । କାନିଡିଆନ ଜର୍ଣ୍ଣାଲ ଅଫ୍ ଓଫଥାଲମୋଲୋଜିରେ ଏହା ଉପରେ ଏକ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି କୋଭିଡ 19ର ଲକ୍ଷଣ ପିଙ୍କ୍ ଆଖି ମଧ୍ୟ ହୋଇପାରେ । ଏହା ଉପରେ ଅନେକ କେସ ରିସର୍ଚ୍ଚରମାନେ ଗବେଷଣା ପରେ ପାଇଛନ୍ତି । ପ୍ରଥମେ ମାର୍ଚ୍ଚରେ ଏପରି ଏକ ମାମଲା ସାମନାକୁ ଆସିଥିଲା । ଜଣେ ମହିଳା ନିଜ ଆଖିର ପିଙ୍କ୍ କଲରକୁ ନେଇ ଚିନ୍ତିତ ଥିଲେ । ସେ ଡାକ୍ତରଙ୍କୁ ଦେଖାଇ ଏହାର ଚିକିତ୍ସା କରିଥିଲେ ।
କିଛିଦିନର ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ତେବେ ସେ ଏସିଆରୁ ଫେରିଥିବାରୁ ତାଙ୍କର କୋଭିଡ 19 ଟେଷ୍ଟ କରାଯାଇଥିଲା । ଆଉ ଏହାର ଫଳାଫଳ ପଜିଟିଭ ଆସିଥିଲା । ଯଦିଓ ମହିଳାଙ୍କ ପାଖରେ କୋରୋନାର ଅନ୍ୟ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥିଲା । ପ୍ରଥମ ଥର ପାଇଁ ବିନା କାଶ, ଜ୍ବର, ଥଣ୍ଡା, ଗଳା ସଂକ୍ରମଣରେ ଜଣେ କୋଭିଡ 19 ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ ବୋଲି ରିସର୍ଚ୍ଚ କରୁଥିବା ପ୍ରଫେସର ପ୍ରକାଶ କରିଥିଲେ । ମହିଳାଙ୍କ ପାଖରେ କୋରୋନାର କିଛି ପ୍ରାଥମିକ ଲକ୍ଷଣ ନଥିବାରୁ ତାଙ୍କର କୋଭିଡ ଟେଷ୍ଟ ହୋଇନଥିଲା । ହେଲେ ପରେ ଏହା ପଜିଚିଭ ଆସିବା ପରେ ରିସର୍ଚ୍ଚରମାନେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ ।
ଏହାପରେ ଅଧିକ ଗବେଷଣା କରି ପ୍ରଫେସରମାନେ ଜାଣିବାକୁ ପାଇଥିଲେ ଯେ କୋରୋନା ଭୂତାଣୁର ପ୍ରାଥମିକ ଲକ୍ଷଣ ପିଙ୍କ୍ ଆଖି ନୁହେଁ । କିନ୍ତୁ ଏହି ଟେଷ୍ଟ କରିବା ପୂର୍ବରୁ ସମସ୍ତେ ନିଜ ଆଖି ପରୀକ୍ଷା କରାଇନେବା ଆବଶ୍ୟକ । ବିଶେଷ କରି ଯେଉଁମାନଙ୍କର ଆଖିରେ ସମସ୍ୟା ଥିବା ଅବା ଦୃଷ୍ଟିଶକ୍ତି କମ୍ ଥିବ ସେମାନଙ୍କୁ ଏହା କରାଇନେବା ଉତ୍ତମ ହେବ ବୋଲି କୁହାଯାଇଛି ।