ଭୋପାଳ : ଭୋପାଳ-ବିଳାଶପୁର ଏକ୍ସପ୍ରେସ ସକାଳ 7ଟା ବେଳେ ଆସି ପ୍ଲାଟଫର୍ମରେ ରହିଲା । ଆଉ ଅପେକ୍ଷା କରିଥିବା ସମସ୍ତ ଯାତ୍ରୀ ଟ୍ରେନରେ ଚଢିଲେ । ହେଲେ ଟ୍ରେନ ଚଳାଉଥିବା ପାଇଲଟ ଠାରୁ ଆରମ୍ଭ କରି ଗାର୍ଡ ପର୍ଯ୍ୟନ୍ତ ସମସ୍ତେ ଥିଲେ ମହିଳା । ଶୁକ୍ରବାର ମହିଳା ଦିବସ ଅବସରରେ ଟ୍ରେନର ସମସ୍ତ ଦାୟିତ୍ବ ମହିଳାଙ୍କୁ ଦିଆଯାଇଥିଲା ।
ଆଉ ଏହାକୁ ଅତି ନିଖୁଣ ଭାବେ ନିଭାଇଥିଲେ ସମସ୍ତ ମହିଳା । ଭୋପାଳରୁ 138 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲା ଟ୍ରେନ। ଘଣ୍ଟାପ୍ରତି 110 କିଲୋମିଟର ବେଗରେ ଚଳାଇଥିଲେ ମହିଳା ପାଇଲଟ । ଲୋକୋ ପାଇଲଟ ନୂତନ କୁମାରୀଙ୍କୁ ଟ୍ରେନ ଚଳାଇବାର ଦାୟିତ୍ବ ଦିଆଯାଇଥିଲା । ଆଉ ପୂର୍ବରୁ ପ୍ରାୟ 13 ବର୍ଷ ହେବ ମାଲବାହୀ ଗାଡି ଚଳାଉଥିବା ବେଳେ ଯାତ୍ରୀବାହୀ ଗାଡି ଚଳାଇବାର ଅଲଗା ଅନୁଭୂତି ।
ଟିଟିଇର ଦାୟୀତ୍ବ ଦିଆଯାଇଥିଲା ଅରୁଣା ଦୁଶାନେଙ୍କୁ । ସେ ପ୍ରତ୍ୟେକ ଯାତ୍ରୀଙ୍କ ଟିକଟ ଯାଞ୍ଚ କରିଥିଲେ । ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ନିତୁ ଦେବୀ ଏବଂ ରାଜମଣି ପ୍ରଧାନଙ୍କୁ ସୁରକ୍ଷା ଗାର୍ଡଙ୍କ ଦାୟୀତ୍ବ ଦିଆଯାଇଥିଲା । ଗାର୍ଡ ବନ୍ଦନା ଚର୍ତୁବେଦୀ କହିଛନ୍ତି ଆମକୁ ଦିଆଯାଇଥିବା ଦାୟିତ୍ବ ଆମେ ସଠିକ ଭାବେ ତୁଲାଇଛୁ । ଏହା ଆମର ଆତ୍ମବିଶ୍ବାସ ମଧ୍ୟ ବଢାଇବାରେ ସହାୟକ ହୋଇଛି ।