ଜୟପୁର: ରାଜସ୍ଥାନରେ ବିଧାୟକ କିଣା ବିକା ମାମଲାକୁ ନେଇ ଭାଇରାଲ ହୋଇଥିବା ଅଡିଓ କ୍ଲିପକୁ ନେଇ ରାଜନୀତି ବଢିବାରେ ଲାଗିଛି । କଂଗ୍ରେସ ପକ୍ଷରୁ କରାଯାଇଥିବା ଫୋନ୍ ଟ୍ୟାପିଂକୁ କଡା ସମାଲୋଚନା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି କ୍ରମରେ ଆଜି କଂଗ୍ରେସର ଏଭଳି କାର୍ଯ୍ୟକୁ କଡା ନିନ୍ଦା କରିଛନ୍ତି ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରକାରଙ୍କ ଦ୍ବାରା କରାଯାଇଥିବା ଫୋନ ଟ୍ୟାପିଂ ଅଗଣତାନ୍ତ୍ରିକ ଏବଂ ଅସମ୍ବିଧାନିକ ବୋଲି ସେ କହିଛନ୍ତି ।
ଏନେଇ ଭଦୋରିଆ କହିଛନ୍ତି, ଫୋନ୍ ଟ୍ୟାପ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଏହା ସମ୍ବିଧାନ ତଥା ଗଣତାନ୍ତ୍ରିକ ଆଦର୍ଶର ବିରୋଧୀ। ଯେଉଁମାନେ ଫୋନ୍ ଟ୍ୟାପ୍ କରିବାରେ ଜଡିତ ଥିଲେ ସେମାନଙ୍କର ତଦନ୍ତ କରାଯିବା ଆବଶ୍ୟକ। ଏହି ପ୍ରସଙ୍ଗକୁ ଗୁରୁତର ସହ ନିଆଯିବା ଉଚିତ୍ ବୋଲି ସେ କହିଛନ୍ତି ।
ଏହା ସହିତ ଅଶୋକ ଗେହଲଟ ବିଏସପି ବିଧାୟକଙ୍କ ଦଳବଦଳକୁ ସମର୍ଥନ କରିଥିବା ଅଭିଯୋଗ କରିଛନ୍ତି ସେ । ଭଦୋରିଆ କହିଛନ୍ତି, ଅଶୋକ ଗେହଲଟ ସରକାର ଭିନ୍ନ ଭିନ୍ନ ଦଳର ବିଧାୟକଙ୍କୁ ଛଡାଇ ନେବା କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଅତୀତରେ ସେ ବିଏସପିର ବିଧାୟକଙ୍କୁ ନେଇ ନିଜ ଦଳରେ ସାମିଲ କରିଥିଲେ ବୋଲି ସେ କହିଛନ୍ତି ।
ଏହାପୂର୍ବରୁ ଶନିବାର ବିଜେପି ରାଜସ୍ଥାନ ରାଜନୈତିକ ସଙ୍କଟକୁ ନେଇ ହୋଇଥିବା ଫୋନ୍ ଟ୍ୟାପ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯାଞ୍ଚ ଦାବି କରିଥିଲା ।