ପାଟନା: ଗୋଟିଏ ପଟେ କୋରୋନା କାଳରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିବାକୁ ଗାଇଡଲାଇନ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ଅନ୍ୟପକ୍ଷରେ ବିହାର ବିଧାନସଭା ନିର୍ବାଚନ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆଇନଜୀବୀ ନୀରଜ ଶେଖର ଆବେଦନକାରୀ ଅବିନାଶ ଠାକୁରଙ୍କ ତରଫରୁ ଏହି ଆବେଦନ କରିଛନ୍ତି।
ବିହାର ବିଧାନସଭା ନିର୍ବାଚନକୁ ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ କୁହାଯାଇଛି। ଯେପର୍ଯ୍ୟନ୍ତ ବିହାରରେ କୋରୋନା ଏବଂ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଦୂର ନହୋଇଛି ସେପର୍ଯ୍ୟନ୍ତ ଆୟୋଗ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ନକରିବାକୁ ଆବେଦନରେ କୁହାଯାଇଛି । ତେବେ ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ, କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଆଗାମୀ ବିହାର ନିର୍ବାଚନ ଓ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନରେ ଏସବୁ ଗାଇଡଲାଇନ ଲାଗୁ କରାଯିବ । ନୂଆ ନିୟମ ଅନୁସାରେ କୋରୋନା ସଂକ୍ରମିତ, ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସର ଭୋଟରମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବେ । ଇଭିଏମ ମେସିନରେ ଭୋଟ ଦେବାଲାଗି ପ୍ରତି ଭୋଟରଙ୍କୁ ଗ୍ଲୋବସ୍ ପ୍ରଦାନ କରାଯିବ ।
ପ୍ରତି ବୁଥ୍ରେ ୧୫୦୦ ବଦଳରେ ୧୦୦୦ ଭୋଟର ଭୋଟ ଦେବେ । ଭୋଟଦାନ ପୂର୍ବରୁ ସମସ୍ତଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ । ନିର୍ବାଚନର ଦିନକ ପୂର୍ବରୁ ପ୍ରତି ବୁଥ୍ ସାନିଟାଇଜ କରାଯିବ । ନିର୍ବାଚନ ଅଧିକାରୀ ସାମାଜିକ ଦୂରତା ରକ୍ଷା କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ