ମେ ମାସ ୧୪ ତାରିଖରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୭ଟି କୀଟନାଶକ ବ୍ୟାନ୍ କରିବା ପାଇଁ ଏକ ଚିଠା ବିଜ୍ଞପ୍ତି ଜାରିକରାଯାଇଥିଲା । ଏସବୁ କୀଟନାଶକର ବିଷାକ୍ତ ପ୍ରଭାବରେ ମଣିଷ ଓ ଜୀବଜନ୍ତୁ ପ୍ରଭାବିତ ହେଉଥିବାରୁ ସେଗୁଡିକୁ ବ୍ୟାନ କରିବା ପାଇଁନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏ ବାବଦରେ ଆପତି ଅଭିଯୋଗ ଓ ପ୍ରସ୍ତାବ ଦେବାକୁ ୪୫ ଦିନିଆ ୱିଣ୍ଡୋ ରଖିଛନ୍ତି ସରକାର । ଥିରାମ,କପ୍ତାନ, ଡେଲଟାମେଥ୍ରିନ, କାରବେଂଡାଜିମ, ମାଲାଥିଅନ ଓ କ୍ଲୋରପାଇରିଫୋସ୍ ସମେତ ୨୭ଟି କୀଟନାଶକକୁ ବ୍ୟାନ ପାଇଁ ନିଷ୍ପତି ନେଇଛନ୍ତିସରକାର । ଡିଚଲର୍ଭସ ବା ଡିଡିଭିପି ନାମକ ରାସାୟନିକକୁ ଡିସେମ୍ବର ୩୧ ପରେ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯିବ ।
ପରିବେଶର ସୁରକ୍ଷା ଦୃଷ୍ଟିରୁ ଅତ୍ୟଧିକ ବିଷାକ୍ତ କୀଟନାଶକ ବ୍ୟାନ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଶ୍ୱ ବଜାରରେ ଉପଲବ୍ଧ ହେଉଥିବା ନୂଆ ନୂଆ ଅଣୁ ଓ ଜୈବ କୀଟନାଶକ ବିଷାକ୍ତ କୀଟନାଶକଗୁଡିକର ସଠିକ ଓ ନିରାପଦ ବିକଳ୍ପ ହୋଇପାରିବ । ଭାରତୀୟ ଅର୍ଥନୀତି ଓ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ବିଷାକ୍ତ କୀଟନାଶକ ବ୍ୟାନ କରିବାକୁ ମହୁମାଛି ଚାଷୀ, ଅର୍ଗାନିକ ଚାଷୀ, ମସାଲା ଶିଳ୍ପ ପ୍ରମୁଖ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ତେବେ, କୀଟନାଶକ ବ୍ୟାନ୍ ପ୍ରସଙ୍ଗକୁ ଆମେ ବିହନ ଶିଳ୍ପର ଦୃଷ୍ଟିକୋଣରୁ ବି ଦେଖିବାକୁ ପଡିବ । ବ୍ୟାନ ହୋଇଥିବା କୀଟନାଶକକୁ ସିଡ୍ ଟ୍ରିଟମେଂଟ୍ ପ୍ରଡକ୍ଟ ଭାବେ ବିହନ ଶିଳ୍ପଗୁଡିକ ବ୍ୟବହାର କରନ୍ତି । ମୁଖ୍ୟତଃ ସିଡ୍ପ୍ରୋଟେକ୍ଟାଂଟ୍ ଭାବେ ଏଗୁଡିକ ବ୍ୟବହାର କରାଯାଏ । ବିହନ ଓ ମୃତ୍ତିକାବାହୀ ରୋଗ ଓ କୀଟ ବିରୋଧରେ ସାଧାରଣତଃ ଏହି ସିଡ୍ପ୍ରୋଟେକଟାଂଟ୍ ବ୍ୟବହାର ହୋଇଥାଏ । ବ୍ୟାନ୍ ତାଲିକାଭୁକ୍ତ ଥିରାମ, କପ୍ତାନ , ଡେଲଟାମେଥ୍ରିନ ଓ କାରବେଂଡାଜିମ୍ କୀଟନାଶକଗୁଡିକୁ ସିଡ୍ଟ୍ରିଟମେଂଟ୍ କେମିକାଲ ଭାବେ ବ୍ୟବହାର କରାଯାଏ ।
ମକା, ବାଜରା, ସୂର୍ଯ୍ୟମୂଖୀ, ସୋରିଷ ଓ ପନିପରିବାକୁ ମାଟି ବାହକ ପୋକଜୋକରୁ ରକ୍ଷା କରିବାକୁ ବ୍ୟବହାର ହେଉଥିବା ସିଡ୍ ଟ୍ରିଟମେଂଟ୍କେମିକାଲ ମଧ୍ୟରୁ ଡେଲଟାମିଥ୍ରିନ ହେଉଛି ଅନ୍ୟତମ । ଏହା ଖୁବ୍ ଶସ୍ତା ଓ କାରବେଂଡାଜିମ୍ ସହ ବର୍ଷ ବର୍ଷ ଧରି ବ୍ୟବହାର ହୋଇଆସୁଛି ।ଡେଲଟାମିଥ୍ରିନ ଭଳି କାରବେଂଡାଜିମ୍ ମଧ୍ୟ ଶସ୍ତା ଓ ଲୋକପ୍ରିୟ କୀଟନାଶକ ଭାବେ ପରିଚିତ । ଥିରାମ ହେଉଛି ସବୁଠାରୁ ପ୍ରଭାବୀ କେମିକାଲ, ଯାହା କି ସିଡ୍ ଟ୍ରିଟମେଂଟରେ ବ୍ୟବହାର ହୋଇଥାଏ । ବୀଜ ଓ ମାଟି ଜନିତ ରୋଗ ବିରୋଧରେ ଥିରାମର ବହୁଳ ପ୍ରୟୋଗ ହୋଇଥାଏ ।
ଧାନ, ଡାଲି ଭଳି ଅପେକ୍ଷାକୃତ ଖୋଲା ପରାଗଣ କିସମର ବିହନ ଉତ୍ପାଦନକାରୀଙ୍କ ପାଇଁ ଉଚ୍ଚ ଦରର କୀଟନାଶକ ଲାଭପ୍ରଦ ହୋଇ ନ ଥାଏ । ତେଣୁ ଏଭଳି ବିହନ ଉତ୍ପାଦକମାନଙ୍କ ପାଇଁ ଶସ୍ତା କୀଟନାଶକ ବ୍ୟବହାର ଅନିବାର୍ଯ୍ୟ ହୋଇଥାଏ । ଗହମ ଓ ଧାନ କ୍ଷେତ୍ରରେ ଥିରାମ ଓ କାରବେଂଡାଜିମ କୀଟନାଶକ ବ୍ୟବହାର ପାଇଁ ଅନୁମତି ଲାଗି ବିଚାର କରାଯାଇପାରେ । ଗହମ ଓ ଧାନ ପାଇଁ ବିହନର ଆବଶ୍ୟକତା ପ୍ରତି ୟୁନିଟ୍ ଅଫ ଏରିଆ ଲାଗି ବ୍ୟାପକ ହୋଇଥାଏ । ଏ କ୍ଷେତ୍ରରେ ୨୦ରୁ ୪୦ କିଲୋଗ୍ରାମ ବିହନ ଆବଶ୍ୟକ ପଡେ । ଆଉ ବିହନର ମୂଲ୍ୟ ଶସ୍ତା, ଯାହା କି କିଲୋ ପିଛା ୩୦ ଟଙ୍କାରୁ ବି କମ୍ । ସିଡ୍ ଟ୍ରିଟମେଂଟ୍ ପାଇଁ ଏସବୁ କେମିକାଲ ଅଧିକାଂଶ କଂପାନି ଓ କୃଷକଙ୍କ ପାଇଁ ସହାୟକ ହୋଇପାରିବ । କାରଣ ସୁପାରିଶ ହୋଇଥିବା ନୂଆ ଓ ମହଙ୍ଗା କେମିକାଲ ଅପେକ୍ଷା ପୁରୁଣା ସିଡ୍ ଟ୍ରିଟମେଂଟ୍ କେମିକାଲ ବେଶ୍ ଶସ୍ତା ଓ ସୁଲଭ । ପ୍ରସ୍ତାବିତ କୀଟନାଶକ ବ୍ୟାନ୍ ଆଦେଶ କାର୍ଯ୍ୟକାରୀ ପୂର୍ବରୁ ସରକାର ସିଡ୍ ଟ୍ରିଟମେଂଟ୍ ପାଇଁ ବିକଳ୍ପ କେମିକାଲ/କୀଟନାଶକର ପ୍ରସ୍ତାବ ଦେଇପାରନ୍ତି । ବିକଳ୍ପ କୀଟନାଶକ ବା କେମିକାଲଗୁଡିକର ଉପଯୁକ୍ତ ବ୍ୟବହାର ଉପଯୋଗୀ ପରୀକ୍ଷା କରାଗଲା ପରେ ହିଁ ବର୍ତମାନର କୀଟନାଶକଗୁଡିକୁ ପର୍ଯ୍ୟାୟକ୍ରମେ ବ୍ୟାନ୍ କରିବା ଆବଶ୍ୟକ ।
ସିଡ୍ ଟ୍ରିଟମେଂଟ୍ କେମିକାଲ ଭାବେ ବ୍ୟବହାର ହେବାକୁ ଥିବା ନୂଆ ଅଣୁ/କେମିକାଲର ସୁଲଭତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯଦି ନୂଆ କେମିକାଲଗୁଡିକ ମହଙ୍ଗା ହୁଏ, ତାହା ହେଲେ ବୀଜ ଉତ୍ପାଦନ ପ୍ରଭାବିତ ହେବ । କୃଷକମାନେ ଏହା ଦ୍ୱାରା ପ୍ରଭାବିତ ହେବେ । ବର୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ ସିଡ୍ ଟ୍ରିଟମେଂଟ କେମିକାଲ ବଦଳରେ ଯଦି ସୁଲଭ ଓ ଉପଯୁକ୍ତ ବିକଳ୍ପର ଅନୁପସ୍ଥିତିରେ କୃଷକମାନେ ହିଁ ବିପୁଳ କ୍ଷତି ସହିବେ । କାରଣ ସେମାନେ ବୀଜ ଓ ମାଟିଜନିତ ରୋଗର ଉଚିତ ମୁକାବିଲା କରିପାରିବେ ନାହିଁ । ଆଉ ଏଥିଦ୍ୱାରା ସାମଗ୍ରିକ ଭାବେ କୃଷି କ୍ଷେତ୍ର ପ୍ରଭାବିତ ହୋଇପାରେ । ବିହନ ଶିଳ୍ପ ଓ କୃଷି ଅର୍ଥନୀତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ।
ପ୍ରଚଳିତ କୀଟନାଶକଗୁଡିକ ପାଇଁ ବ୍ୟାନ ଅର୍ଡର ପ୍ରଯ୍ୟାୟ କ୍ରମେ ୩ରୁ ୪ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବା ଦରକାର । କାରଣ ବ୍ୟାନହେବାକୁଥିବା କୀଟନାଶକଗୁଡିକ ବର୍ତମାନ ବ୍ୟବହାର ହେଉଛି । ମହଜୁଦ ଥିବା କୀଟନାଶକ ଓ କେମିକାଲଗୁଡିକ ଶେଷ ହେଲା ପରେ ହିଁ ବିକଳ୍ପ କୀଟନାଶକର ବ୍ୟବହାର ଆରମ୍ଭ ଜରୁରୀ ମନେ ହୁଏ । ଭାରତ ସରକାର ଜୈବ ଓ ନାନୋ ଟେକ୍ଲୋଲୋଜି ଭିତ୍ତିକ ସିଡ୍ ଟ୍ରିଟମେଂଟ୍ ପ୍ରଚଳନ କରିବା ଉପରେ ମଧ୍ୟ ବିଚାର କରିପାରନ୍ତି । ଯାହା ଫଳରେ କୃଷକ ଓ ବିହନ ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ହୋଇପାରିବ ।
ଆଇସିଏଆର୍ ଓ ଆଇଏଆରଆଇରେ ବାୟୋ କଂଟ୍ରୋଲ ଏଜେଂଟ ଓ ନାନୋ ଟେକ୍ନୋଲୋଜି ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ । ଆମ ଚାରିପାଖରେ ଲକ୍ଷ ଲକ୍ଷ ଜୀବାଣୁ ଓ ମଧୁରିକା ଅଛନ୍ତି, ଯେଉଁମାନେ କି ପ୍ରାକୃତିକ ଭାବେ ଫସଲକୁ ନଷ୍ଟ କରୁଥିବା କୀଟ ଓ ରୋଗର ପ୍ରତିରୋଧ କରିପାରିବେ । ଜୈବ ଓ ନାନୋ ଟେକ୍ନୋଲୋଜି ସରକାରୀ ବ୍ୟବସ୍ଥା ମଧ୍ୟରେ ବିକଶିତ ହେବାକୁ ଥିବାରୁ ସେଗୁଡିକ ପେଟେଂଟ୍ ମୁକ୍ତ ହେବ । ଆଉ ଏହା ଦ୍ୱାରା କୃଷି ଓ କୃଷି ସହ ଜଡିତ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କମ ହୋଇପାରିବ । ସାମଗ୍ରିକ ଭାବେ ଭାରତୀୟ କୃଷକମାନେ ଉପକୃତ ହେବା ସହ ପରିବେଶର ସୁରକ୍ଷା ହୋଇପାରିବ ।