ଇସଲାମାବାଦ: ପାକିସ୍ତାନରେ କୋରୋନା ସଙ୍କଟ ଚିନ୍ତାଜନକ ରହିଛି । ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । କୋରୋନା ପ୍ରକୋପ ମଧ୍ୟରେ ବୁଧବାର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି 'ତେହେରିକ-ଇ-ଇନସାଫ' (ପିଟିଆଇ) ସଦସ୍ୟ ଶାହିନ ରଜା(65)ଙ୍କ କୋରୋନାଭାଇରସ କାରଣରୁ ମୃତ୍ୟୁ ହୋଇଛି । ପାକିସ୍ତାନରେ ଏହା ପ୍ରଥମ ଘଟଣା ଯେତେବେଳେ କୋରୋନାରେ ଜଣେ ଜନ ପ୍ରତିନିଧୀଙ୍କ ମୃତ୍ୟୁ ଘଟିଛି ।
ଶାହିନ୍ ରଜା ପାକିସ୍ତାନର ପଞ୍ଜାବ ପ୍ରଦେଶ ବିଧାନସଭାରୁ ବିଧାୟକ ଥିଲେ । ଦୁଇ ଦିନ ପୂର୍ବେ ତାଙ୍କର କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଥିଲା । ଏହା ପରେ ସେ ଡାକ୍ତରଖାନା ଚିକିତ୍ସିତ ହେଉଥିଲେ । କୁହାଯାଉଛି ଯେ ଜଣେ ପଜେଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଥିଲେ ।
ଶାହିନ୍ ରଜାଙ୍କ ମୃତ୍ୟୁରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୋକ ପ୍ରକାଶ କରିଛନ୍ତି । କରୋନା ମୃତ୍ୟୁ ମାମଲାକେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଅଧୀନରେ ଶାହିନ୍ ରଜାଙ୍କୁ ଅନ୍ତିମ ସଂସ୍କାର କରାଯିବ । ସୂଚନା ଯୋଗ୍ୟ ଯେ, ପାକିସ୍ତାନରେ କୋରୋନା ସଂକ୍ରମଣ ରିପୋର୍ଟ 45,898 ରେ ପହଞ୍ଚିଛି । କୋରୋନାରେ ଦେଶରେ 985 ଜଣଙ୍କର ମୃତ୍ୟୁ ହୋଇଛି ।