ଇସଲାମାବାଦ: ଭାରତ ବିରୋଧରେ ଆଉ ଏକ ଅପପ୍ରଚାର ଆରମ୍ଭ କରିଛି ପାକିସ୍ତାନ । ଆତଙ୍କବାଦୀ ଅଜମଲ କସାବର ଭାରତ ସହ ସମ୍ପର୍କ ଥିବାର ମିଥ୍ୟା ଖବର ପାକିସ୍ତାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସୋସିଆଲ ମିଡିଆରେ କସାବର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କସାବ ଭାରତର ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଅନାଲିସିସି ୱିଙ୍ଗ (ର) ରେ କାର୍ଯ୍ୟ କରୁଥିଲା ବୋଲି ଦାବି କରାଯାଉଛି । ପାକିସ୍ତାନର ଦକ୍ଷୀଣପନ୍ଥୀ ରାଜନୈତିକ ଉପସ୍ଥାପକ ଜୈଦ ହାମିଦ ଭିଡିଓ ଜରିଆରେ ଏହି ଦାବି କରିଛନ୍ତି ।
କସାବ ଅମର ସିଂହ ନାମକ ଜଣେ ଶିଖ ଭାବରେ ର' ରେ କାର୍ଯ୍ୟ କରୁଥିଲା ବୋଲି ହାମିଦ ନିଜ ଭିଡିଓରେ କହିଛନ୍ତି । ସେ କହିଛନ୍ତି, କସାବ ଭାରତୀୟ ଏଜେଣ୍ଟ ବୋଲି ର' ଜାଣିଥିଲା । ଏହାପରେ ତାକୁ ଗିରଫ କରିବାର ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲା । କିନ୍ତୁ ସ୍ଥିତି ସମ୍ଭାଳିବା ପାଇଁ ତାକୁ ମୃତ୍ୟୁ ଦଣ୍ଡ ଦେବାର ନିଷ୍ପତ୍ତି ନିଆଗଲା ବୋଲି ସେ କହିଛନ୍ତି । ହାମିଦ ଭିଡିଓରେ ଆହୁରି କହିଛନ୍ତି ଯେ, ମୁମ୍ବାଇ ଆକ୍ରମଣର ଆଉ ଏକ ଆତଙ୍କବାଦୀ ଇସ୍ମାଇଲ ଖାନ ହିରାଲାଲ ନାମରେ ର' ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲା ।
ତେବେ 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲସ୍କର-ଏ-ତୋଏବା ଆତଙ୍କବାଦୀକୁ ଶିଖ ରୂପରେ ରୂପାନ୍ତରିତ କରି ପାକିସ୍ତାନ ଦର୍ଶାଇଦେଇଛି ଯେ, ସଂଖ୍ୟାଲଘୁଙ୍କ ପ୍ରତି ତାର ମନୋଭାବ କ'ଣ ରହିଛି । ହିନ୍ଦୁ, ବୌଦ୍ଧ ଏବଂ ଇସାଇ ଭଳି ଶିଖ ସମ୍ପ୍ରଦାୟଙ୍କୁ ମଧ୍ୟ ପାକିସ୍ତାନରେ ଅତ୍ୟାଚାରର ଶିକାର ହେବାକୁ ପଡୁଛି । ତେବେ ଏହି ବିଷୟରେ ହାମିଦଙ୍କ ସ୍ବର ଉତ୍ତୋଳନ ଲୋକଙ୍କ ମଧ୍ୟରେ ଧାର୍ମିକ ଅସହିଷ୍ଣୁତା ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କସାବ ଏବଂ ଇସ୍ମାଇଲ ଖାନ ସାମିଲ ଥିଲେ । ଏହି ଆକ୍ରମଣରେ ୧66 ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ ରୁ ଅଧିକ ଆହତ ହୋଇଥିଲେ |