ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 71ତମ ସାଧାରଣତନ୍ତ୍ର ଦିବସରେ ଚଳିତ ଥର 7 ଜଣଙ୍କୁ ପଦ୍ମ ବିଭୂଷଣ ଏବଂ 16 ଜଣଙ୍କୁ ପଦ୍ମ ଭୂଷଣ ପାଇଁ ମନୋନୀତ କରାଯାଇଛି । ସେହିପରି 118 ଜଣ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି 141 ଜଣ ମହାନ ବ୍ୟକ୍ତିଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିବେ । ଏଥର ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅନେକ ବ୍ୟକ୍ତି ସାମାଜସେବା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଲଙ୍ଗର ବାବା ଜଗଦୀଶ ଲାଲ ଆହୁଜା, ଜାଭେଦ ଅହମ୍ମଦ ଟାକ, ସତ୍ୟନାରାୟଣ ମୁଣ୍ଡୟୁର, ଏସ ରାମକୃଷ୍ଣ ଏବଂ ଯୋଗୀ ଆର୍ଯ୍ୟନ ପ୍ରମୁଖ ରହିଛନ୍ତି । ସେହିପରି 1984 ଭୋପାଲ ଗ୍ୟାସ ଟ୍ରାଜେଡି ପୀଡିତାଙ୍କ ପାଇଁ ଲଢିଥିବା ସ୍ବଗତଃ ଅବ୍ଦୁଲ ଜବ୍ବାରଙ୍କୁ ମଧ୍ୟ ପ୍ରଦ୍ମଶ୍ରୀରେ ସମ୍ମାନିତ କରାଯିବ । ଗତବର୍ଷ ନଭେମ୍ବର 14 ତାରିଖରେ ଅବ୍ଦୁଲଙ୍କର ଦେହାନ୍ତ ହୋଇଥିଲା ।
ଗତ 25 ବର୍ଷ ମଧ୍ୟରେ ପ୍ରାୟ 25 ହଜାର ରୁ ଊର୍ଦ୍ଧ୍ବ ଅନାଥ ମୃତଦେହର ଅନ୍ତିମ ସଂସ୍କାର କରିଥିବା ମହମ୍ମଦ ଶରୀଫଙ୍କୁ ମଧ୍ୟ ପଦ୍ମଶ୍ରୀରେ ସମ୍ମାନିତ କରିବେ ରାଷ୍ଟ୍ରପତି । ଏହା ବ୍ୟତୀତ ନୟାଗଡର ବାପ-ଝିଅଙ୍କ ସମେତ ଓଡିଶାର 9 ଜଣ ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ ।
ସେପଟେ 4 ଜଣ ଆମେରିକୀୟ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଉ ଜଣେ ପଦ୍ମ ଭୂଷଣ ପାଇଁ ମନୋନୀତ ହୋଇଛନ୍ତି । ସେହିପରି ବ୍ରିଟେନର ଜଣେ ନାଗରିକ ମଧ୍ୟ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।