ନୂଆଦିଲ୍ଲୀ: ଲକଡାଉନରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଓ ରୋଗୀଙ୍କ କ୍ଷେତ୍ରରେ କିଛିମାତ୍ରାରେ କୋହଳ କରିଛନ୍ତି । ଗୃହମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଏବେ ସବୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଘରକୁ ଫେରାଇ ନେଇପାରିବେ । ଯାହାକୁ ସ୍ବାଗତ କରିଛି କଂଗ୍ରେସ । ସେପଟେ ଏତେ ଲୋକଙ୍କୁ ବସରେ ନୁହେଁ ଟ୍ରେନରେ ନେବାପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।
କଂଗ୍ରେସ ନେତା ଓ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କହିଛନ୍ତି ଯେ ଏପ୍ରିଲ 15ରୁ ଲକଡାଉନରେ କୋହଳ କରିବାକୁ ଆମେ ଦାବି କରିଥିଲୁ । ତେବେ ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏତେ ସଂଖ୍ୟାରେ ଲୋକଙ୍କୁ ବସରେ ଘରକୁ ପଠାଇବା ସମ୍ଭବପର ନୁହେଁ । ତେଣୁ ସରକାର ପଏଣ୍ଟ ଟୁ ପଏଣ୍ଟ ସାନିଟାଇଜ ଟ୍ରେନ ଚଲାଇବା ଦରକାର ବୋଲି କହିଛନ୍ତି ପି ଚିଦାମ୍ବରମ । ଏଥିପାଇଁ ପ୍ରବାସୀ ଶ୍ରମିକ, ଛାତ୍ର, ରୋଗୀ ଓ ପର୍ଯ୍ୟଟକଙ୍କ ଯିବା ପାଇଁ ସେ ଟ୍ରେନ ଚଲାଇବାକୁ ଦାବି କରିଛନ୍ତି ।
ଏତିକିବେଳେ କଂଗ୍ରେସ ନେତା ଅଧିରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏବେ ସମସ୍ତ ରାଜ୍ୟ ସରକାର ବାହାରେ ଫସି ଥିବା ପ୍ରବାସୀ ଶ୍ରମିକଙ୍କ ଖାଇବା ପିଇବା ବ୍ୟବସ୍ଥାଠୁ ଆରମ୍ଭ କରି ଘରେ କିପରି ପହଞ୍ଚିବେ ସେ ନେଇ ଚେଷ୍ଟା କରିବା ଦରକାର । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କୁ କିପରି ଘରକୁ ପଠାଯିବ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ଏଠାରେ କହିରଖୁଛୁ ଯେ ବୁଧବାର ଗୃହମନ୍ତ୍ରାଳୟ ଅଲଗା ଅଲଗା ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଗୃହମନ୍ତ୍ରାଳୟ କିଛି ସର୍ତ୍ତ ମଧ୍ୟ ଜାରି କରିଛି ।