ହାଇଦ୍ରାବାଦ: ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ(CAA) ବିରୋଧରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାକୁ ନେଇ ଦେଶର ବିଭିନ୍ନ ଭାଗରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳୁଛି। ଏପରିକି ଦେଶ ବାହାରେ ଥିବା ମୁସଲମାନ ଦେଶ ସମେତ ଅଣମୁସଲମାନ ଦେଶ ମଧ୍ୟ ଏହାକୁ ନିନ୍ଦା କରୁଛନ୍ତି। ଯାହାକୁ ନେଇ ଏତେ ବିବାଦ ଦେଖାଦେଇଛି, ପ୍ରକୃତରେ ସେହି ନାଗରିକତା ସଂଶୋଧନ ଆଇନ କଣ ?
ଏହି ଆଇନ ବଳରେ ପଡୋଶୀ ଦେଶର ଅଣମୁସଲିମ୍ ଅର୍ଥାତ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ୍ ଓ ପାର୍ସୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ ଯେଉଁମାନେ ଧାର୍ମିକ ପ୍ରତାଡନାର ଶିକାର ହୋଇଥିବେ। ଏହା କେବଳ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଶରଣାର୍ଥୀଙ୍କୁ ଏହି ସୁବିଧା ମିଳିବ। 2014 ଡିସେମ୍ବର 31 ପୂର୍ବରୁ ଯେଉଁମାନେ ଭାରତରେ ଥିବେ, ସେମାନଙ୍କୁ ଏହି ଆଇନ ବଳରେ ନାଗରିକତା ପ୍ରଦାନ କରାଯିବ। ଭାରତର ପଡୋଶୀ ରାଷ୍ଟ୍ରର ମୁସଲମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି। କାରଣ ସେଠାକାର ଜନସଂଖ୍ୟାର ଅଧାରୁ ଅଧିକ ଲୋକେ ମୁସଲମାନ ସମ୍ପ୍ରଦାୟର।
ଆପଣ କହିବେ ଏହା ଏକ ଉଚିତ୍ ପଦକ୍ଷେପ, ହେଲେ ଲୋକେ କାହିଁକି ଏହାକୁ ବିରୋଧ କରୁଛନ୍ତି? ସରକାରଙ୍କୁ ବିରୋଧ କରିବାର ମୁଖ୍ୟ କାରଣ ହେଲା ଧର୍ମଗତ ଓ ଦେଶଗତ ଭେଦଭାବ। ସବୁ ଧର୍ମର ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲେ ମଧ୍ୟ ମୁସଲମାନଙ୍କୁ ଏଥିରୁ ବାଦ ଦିଆଯାଇଛି। ଓ କେବଳ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ହିଁ ଶରଣାର୍ଥୀ ଅଛନ୍ତି? ଅନ୍ୟଦେଶରେ ମଧ୍ୟ ପ୍ରତାଡିତ ହେଉଥିବା ଶରଣାର୍ଥୀ ଅଛନ୍ତି। ଏହା ଭାରତୀୟ ସମ୍ବିଧାନର ବିରୋଧୀ ବୋଲି ଆନ୍ଦୋଳନକାରୀ କହୁଛନ୍ତି।
ଉତ୍ତର-ପୂର୍ବ ଭାରତରେ ନାଗରିକତାକୁ ନେଇ ଅଧିକ ଭୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ସେ ସବୁ ସ୍ଥାନରେ ମୁଖ୍ୟତଃ ବାଂଲାଦେଶୀ ଅଧିକ ଅଛନ୍ତି। ଖାସ୍ କରି ଆସାମର ସଂସ୍କୃତି, ପରମ୍ପରା ଉପରେ ବାଂଲାଦେଶୀଙ୍କ ରାଜୁତୀ ଚାଲିବା ଭୟରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆସାମ ଅଧିବାସୀଙ୍କ କହିବା ଅନୁସାରେ, ଯଦି ବାଂଲାଦେଶୀଙ୍କୁ ନାଗରିକତା ପ୍ରଦାନ କରାଯାଏ, ଆସାମର ଲୋକେ ନିଜ ମାଟିରେ ହିଁ ସଂଖ୍ୟାଲଘୁ ହୋଇଯିବେ।
ଅନ୍ୟପକ୍ଷେ ମୁସଲମାନଙ୍କ କହିବା ଅନୁସାରେ, ଏହି ଆଇନ ଯଦି ଲାଗୁ ହୋଇଯାଏ, ସେମାନେ ଅନେକ ରାଜ୍ୟରୁ ବହିସ୍କୃତ ହେବେ। ଏହି ପ୍ରକାର ଆଇନ ଆଣି ସରକାର ମୁସଲିମ ବିରୋଧି କାର୍ଯ୍ୟ କରୁଛି ବୋଲି ମଧ୍ୟ ମତ ପ୍ରକାଶ ପାଉଛି। ଭାରତରେ ନାଗରିକତା ସଂଶୋଧନ ଆଇନ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ପାଇଁ ଲଜ୍ଜାର ବିଷୟ। କାରଣ ଗତ କିଛି ବର୍ଷ ହେବ ସେଠାରେ ଥିବା ସଂଖ୍ୟଲଘୁଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ଏହାକୁ ବିରୋଧ କରିବା କିମ୍ବା ସମର୍ଥନ କରିବା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ।
ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଜେନିଭାରେ ‘ଗ୍ଲୋବାଲ ରିଫ୍ୟୁଜି ଫୋରମ’ କାର୍ଯ୍ୟକ୍ରମରେ ଯୋଗ ଦେଇ CAAବିଷୟରେ ମତ ରଖିଥିଲେ। ଭାରତ CAAକୁ ନେଇ କରିଥିବା ଭେଦଭାବକୁ ଫେରାଇ ନେଉବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହାକୁ ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ବୋଲି କହିଛନ୍ତି ସେ। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ନ୍ୟୁକ୍ଲିୟାର ଯୁଦ୍ଧକୁ ନେଇ ମଧ୍ୟ ସତର୍କ କରାଇ ଦେଇଥିଲା ସେ।
ବାଂଲାଦେଶ ମଧ୍ୟ ପରୋକ୍ଷରେ ଏହି ଆଇନକୁ ବିରୋଧ କରିଛି। ଏହି କାରଣରୁ ବାଂଲାଦେଶର ବୈଦେଶିକ ଓ ଗୃହମନ୍ତ୍ରୀଙ୍କ ଭାରତ ଯାତ୍ରାକୁ ରବ୍ଦ କରାଯାଇଛି। ବାଂଲାଦେଶର ଗୃହମନ୍ତ୍ରୀଙ୍କ ମତରେ, ଭାରତ ନିଜର ଧର୍ମନିରପେକ୍ଷ ରାଷ୍ଟ୍ରର ଚରିତ୍ରକୁ ଦୁର୍ବଳ କରୁଛି। ଏହା ସହ ବାଂଲାଦେଶରେ କୌଣସି ବି ସଂଖ୍ୟାଲଘୁ ପ୍ରତାଡିତ ହେଉଥିବା କଥାକୁ ଖାରଜ କରି ଦେଇଛନ୍ତି ସେ। ନିକଟରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ମଧ୍ୟ ସଂଖ୍ୟାଲଘୁଙ୍କୁ ସମ୍ମାନ ଦିଆଯାଉଛି ବୋଲି ସେ କହିଥିଲେ।
ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ପୂର୍ବରୁ ଧାରା 370 ଉଚ୍ଛେଦକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନର ଆବଶ୍ୟକତା ଉପରେ ପ୍ରଶ୍ନ କରିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟ ଏହି ଆଇନକୁ ନିନ୍ଦା କରିଛନ୍ତି। ଆମେରିକାର ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ ମଧ୍ୟ ଏହାକୁ ଭୁଲ ବୋଲି ଦର୍ଶାଇଛି।
ଭାରତ ବର୍ତ୍ତମାନ ଏହା ଭାବିବା ଆବଶ୍ୟକ କି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ପରିଚୟ ନଷ୍ଟ ହେବାରେ ଲାଗିଛି। ଧର୍ମନିରପେକ୍ଷ ଭାବରେ ଭାରତକୁ ଗ୍ରହଣ କରାଯାଇଛି ମାତ୍ର ଭାରତ ତା'ର ସେହି ପରିଚୟକୁ ବଜାୟ ରଖିପାରୁ ନାହିଁ। କେନ୍ଦ୍ରରେ କ୍ଷମତାସୀନ ଦଳ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାର କଥିତ ଏଜେଣ୍ଡା ଆଡକୁ ଅଗ୍ରସର ହେଉଛି। ବର୍ତ୍ତମାନ CAAକୁ ନେଇ ବିବାଦ ଚାଲୁଥିବା ବେଳେ NRCକୁ ନେଇ ମଧ୍ୟ ଆଗକୁ ଆହୁରି ଆନ୍ଦୋଳନ ହେବାର ସମ୍ଭାବନା ରହିଛି।