ହାଇଦ୍ରାବାଦ: ମୋଦି ସରକାରର ଦ୍ବିତୀୟ ପାଳିକୁ ବର୍ଷେ ପୁରିବାକୁ ଯାଉଛି । ଗତବର୍ଷ ମେ 30ରେ ଦ୍ବିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ଗ୍ରହଣ କରିଥିଲେ । ବର୍ଷେ ଭିତରେ ମୋଦି ସରକାର ଅନେକ ସଫଳ କାର୍ଯ୍ୟ କରିଛନ୍ତି । ଏହାସହ ବହୁତ କିଛି ପଦକ୍ଷେପ ଯୋଗୁଁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତେବେ ବର୍ଷେ ଭିତରେ ମୋଦି 2.0ର ବିଫଳତା ଅପେକ୍ଷା ସଫଳତା ଅଧିକ ଦୃଶ୍ୟମାନ ହୁଏ । ଆସନ୍ତୁ ଏହି ବର୍ଷକର ସଫଳତା ଓ ବିଫଳତା ଉପରେ ଏକ ନଜର ପକାଇବା ।
ଧାରା 370 ଉଚ୍ଛେଦ
କ୍ଷମତାକୁ ଆସିବାର 2 ମାସ ପରେ ଧାରା 370 ଉଚ୍ଛେଦ କରିଥିଲେ ମୋଦି ସରକାର । ଅଗଷ୍ଟ 2019ରେ ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ମିଳିଥିଲା । ଏହାସହ ଏହା 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିଲା ।
ଏନଆରସି-ଏନପିଆର
ଧାରା 370 ଉଚ୍ଛେଦ ପରେ ଏହା ଥିଲା ଏକ ବୈପ୍ଲବିକ ପଦକ୍ଷେପ । ସାରା ଦେଶରେ ଏହା ବିରୋଧରେ ସ୍ବର ଉଠିଥିଲା । ଏପରିକି ଏହାକୁ ଲାଗୁ କରିବା ପାଇଁ ସଂସଦ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ବିରୋଧୀ ଏହାକୁ କଡା ବିରୋଧ କରିଥିଲେ । ଏନସିଆରକୁ ସମର୍ଥନ ଦେଉଥିବା କିଛି ଦଳ ଏନପିଆରକୁ ବିରୋଧ କରିଥିଲେ । ତେବେ ସରକାର ବିଭିନ୍ନ ବିରୋଧ ସତ୍ତ୍ବେ ଏହାକୁ ଲାଗୁ କରିଥିଲେ ।
ଯବାନଙ୍କ ପରିବାର ପାଇଁ ଉନ୍ନୟନମୂଳକ କାର୍ଯ୍ୟ
ଯୁଦ୍ଧବେଳେ ଯବାନଙ୍କର କୌଣସି କ୍ଷତି ହେଲେ ନିକଟ ସମ୍ପର୍କୀୟଙ୍କୁ 8 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ପୂର୍ବରୁ ଯବାନଙ୍କ ସମ୍ପର୍କୀୟଙ୍କ ପାଇଁ ଥିବା ଯୁଦ୍ଧ କ୍ଷୟକ୍ଷତି ଫଣ୍ଡରେ ଏହା 2 ଲକ୍ଷ ଥିଲା । ମୋଦି 2.0ରେ ଏହାକୁ ବୃଦ୍ଧି କରାଯାଇଛି । ଦିବ୍ୟାଙ୍କ ଯବାନଙ୍କ ପେନସନରୁ ଆୟକରକୁ ବାଦ୍ ଦେବାକୁ ସମସ୍ତ ବ୍ୟାଙ୍କକୁ ଜୁନ 2019ରେ ନିର୍ଦ୍ଦେଶ ମିଳିଥିଲା ।
ଚାଷୀଙ୍କ ଆୟ ଦୁଇ ଗୁଣା
2022 ସୁଦ୍ଧା ଚାଷୀଙ୍କ ଆୟ 2 ଗୁଣା କରିବାକୁ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି 7ଟି ଫର୍ମୁଲା ବାହାର କରିଛି । ପ୍ରାୟ 10 ହଜାର ଚାଷୀ ଉତ୍ପାଦନ ସଂସ୍ଥା ଓ ମତ୍ସ୍ୟଚାଷରେ 500 ସଂସ୍ଥାକୁ ପ୍ରମୋସନ କରାଯାଇଛି । ଚାଷ ଓ ମନ୍ତ୍ରଣାଳୟର କିଛି ଗୁରୁତ୍ବପୂର୍ଣ୍ଣ ଦିଗକୁ ପୁନଃସ୍ଥାପନା କରାଯାଇଛି । 99ଟି ଜଳସେଚନ ପ୍ରକଳ୍ପ ଦ୍ବାରା 7.86 ମିଲିୟନ ହେକ୍ଟର ଜମିକୁ କଭର କରିବାର ପ୍ରୟାସ ଚାଲିଛି ।
151 ଜିଲ୍ଲାକୁ ମରୁଡିମୁକ୍ତ କରିବା ପ୍ରୟାସରେ ସରକାର 2.5 ମିଲିୟନ ହେକ୍ଟରରେ ଅର୍ଗାନିକ୍ ଫାର୍ମିଂର ସୁବିଧା ଦେଇଛନ୍ତି ଯାହାଦ୍ବାରା 2 ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଛୋଟ ଓ ମଧ୍ୟମ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା 8.52 କୋଟି ଚାଷୀ ମୋଟ୍ 62 ହଜାର 469 କୋଟି ଟଙ୍କା ପାଇଛନ୍ତି ।
ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୈତିକ ଦେଶ ଭାରତ
2020 ବଜେଟରେ ଏନେଇ ପ୍ରୟାସ ଆରମ୍ଭ ହୋଇଛି । ମେକ୍ ଇନ୍ ଇଣ୍ଡିଆକୁ ପ୍ରମୋଟ୍ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଭାରତକୁ ଏକ ଶିଳ୍ପ ହବ୍ ବନାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଭାରତୀୟ ରେଳବାଇ ଓ ଫ୍ରେଞ୍ଚ ପାର୍ଟନରଙ୍କ ସହଯୋଗରେ ରେଳବାଇ ନିଜର ପ୍ରଥମ 12 ହଜାର ଏଚପି ଇଲେକ୍ଟ୍ରିକ୍ ଲୋକୋ ବାହାର କରିଛି । ସ୍ବଦେଶୀ ଜ୍ଞାନକୌଶଳରେ ଏହାର ବାହାର ହୋଇଛି । ସେହିପରି ଭାରତକୁ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୈତିକ ଦେଶ କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି ।
ଏମଏସଏମଇ ଇଣ୍ଡଷ୍ଟ୍ରି ମଧ୍ୟ ଏହି କ୍ଷେତ୍ରରେ ପଦକ୍ଷେପ ନେଇଛି । ବିଭିନ୍ନ କ୍ଷେତ୍ରକୁ ଏହା ସବୁପ୍ରକାର ସାହାଯ୍ୟ କରୁଛି । ପିଏମଇଜିପି ଓ ମୁଦ୍ରା ୟୁନିଟକୁ ସାହାଯ୍ୟ କରିବା ପାଇଁ ଏହା ଦ୍ବିତୀୟ ଅର୍ଥନୈତିକ ସହାୟତା ନାମରେ ଏକ ଯୋଜନା ଖୋଲିଛି । ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଏବଂ ଇଣ୍ଟରନାଲ ଟ୍ରେଡ 27 ହଜାର 916ଟି ଷ୍ଟାର୍ଟଅଫ୍ ବାହାର କରିଛି । ସରକାର ମଧ୍ୟ ଏଥିରେ ନିବେଶ କରିବା ପାଇଁ 10 କୋଟି ଟଙ୍କାର ଫଣ୍ଡ ଖୋଲିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ 12ଟି କ୍ଲଷ୍ଟରରେ 17ଟି ସାଇଟ୍ ସ୍ଥିର କରାଯାଇଛି ଯାହାକୁ ଆଇକୋନିକ ଟୁରିଷ୍ଟ ସାଇଟ୍ ଭାବେ ବିକାଶ କରାଯିବ ।
ଭିତ୍ତିଭୂମି
ପ୍ରତି ଘରେ ପାଇପ୍ ଦ୍ବାରା ପାଣି ପହଞ୍ଚାଇବା ପାଇଁ 3.5 ଲକ୍ଷ କୋଟିର ଜଳ ଜୀବନ ମିଶନ ଆରମ୍ଭ ହୋଇଛି । ଆଗାମୀ 5 ବର୍ଷରେ ଭିତ୍ତିଭୂମି ବିକାଶ ପାଇଁ ଭାରତ 1.4 ଟ୍ରିଲିୟନ ଡଲାର ବିନିଯୋଗ କରିବ ବୋଲି କେନ୍ଦ୍ର ଷ୍ଟିଲ ମନ୍ତ୍ରୀ କହିଛନ୍ତି । 102 ଲକ୍ଷ କୋଟି ଟଙ୍କାର ଜାତୀୟ ଭିତ୍ତିଭୂମି ପାଇପଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏୟାରପୋର୍ଟର ଘରୋଇକରଣ ଆରମ୍ଭ ହୋଇଛି । ଅଟୋମାବାଇଲ୍ସ ମାଲିକଙ୍କୁ ପ୍ରାକୃତିକ ଗ୍ୟାସ୍ ଦେବାକୁ ଓ ପ୍ରତି ଘରେ ପାଇପ୍ ଗ୍ୟାସ ଯୋଗାଣ ପାଇଁ ଭାରତୀୟ ତୈଳ ସଂସ୍ଥା ସହ ଅଦାନୀ ଗ୍ୟାସ ଏବଂ ଏଚପିସିଏଲ ହାତ ମିଳାଇଛନ୍ତି । ସେହିପରି 28 ହଜାର କୋଟି ଟଙ୍କାରେ ନିର୍ମାଣ ହେଉଛି ମୁମ୍ବାଇ-ନାଗପୁର ସୁପର ଏକ୍ସପ୍ରେସୱେ ।
ଗୁଜରାଟ ଅନ୍ତର୍ଜାତୀୟ ଫାଇନାନ୍ସ ଟେକ୍ ସିଟିରେ ଏକ ସ୍ମାର୍ଟସିଟି ସେଣ୍ଟର ନିର୍ମାଣ ହୋଇଛି । ଏଠାରେ ବିଶ୍ବବ୍ୟାପୀ ସ୍ମାର୍ଟସିଟି ପଦକ୍ଷେପ ଉପରେ ତଥ୍ୟ ପ୍ରଦାନ କରାଯିବ । ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ଅଧୀନରେ ଟେକ୍ନୋଲୋଜିକୁ ପ୍ରମୋଟ୍ କରିବା ପାଇଁ ଦେଶବ୍ୟାପୀ ସେଣ୍ଟର ଅଫ୍ ଏକ୍ସେଲେନ୍ସ ତିଆରି କରାଯିବ । ଜାତୀୟ ଗଙ୍ଗା ମିଶନ କାର୍ଯ୍ୟ ମଧ୍ୟ ଏହି ଅବସରରେ ତ୍ବରାନିତ ହୋଇଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଅଭିଯାନ ଆରମ୍ଭ ହୋଇଛି । 2022 ସୁଦ୍ଧା ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ଏହାର ଲକ୍ଷ୍ୟ । ଛତିଶଗଡରେ ରାଜ୍ୟ ରାଜପଥ ଓ ଜିଲ୍ଲା ରାସ୍ତାକୁ ଅପଗ୍ରେଡ କରିବା ପାଇଁ ଭାରତ ସରକାର ଓ ଏସିଆନ ବିକାଶ ବ୍ୟାଙ୍କ 350 ମିଲିୟନ ଡଲାରର ଲୋନ ଚୁକ୍ତି କରିଛନ୍ତି । ଦେଶବ୍ୟାପୀ 780 କିଲୋମିଟର ଜାତୀୟ ରାଜପଥର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ 7660 କୋଟି ଟଙ୍କାକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ କନେକ୍ସନ ସୁବିଧା ପାଇଁ 6000 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଛି ।
ସୁସ୍ଥ ଭାରତ
ବଜେଟରେ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ପୂର୍ବ ବଜେଟର 5.7 ପ୍ରତିଶତ ବୃଦ୍ଧି କରାଯାଇଛି । ମୋଟ୍ 67 ହଜାର 484 କୋଟି ଟଙ୍କାର ଆକଳନ ହୋଇଛି । 2015 ସୁଦ୍ଧା ଟ୍ୟୁବେରକୂଲୋସିସ୍ ମୁକ୍ତ ଭାରତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଟାୟାର 2 ଏବଂ ଟାୟାର 3 ସିଟିରେ ଭିଆବିଲିଟୀ ଫଣ୍ଡ ଗ୍ରୁପ ଆୟୁଷ୍ମାନ ଭାରତକୁ ସମର୍ଥନ କରି ହସ୍ପିଟାଲ ନିର୍ମାଣ କରିବ । 112 ଜିଲ୍ଲାରେ ପିପିଇ ମଡେଲ ହସ୍ପିଟାଲ ନିର୍ମାଣ ହେବ । ଜନ ଔଷଧି ଷ୍ଟୋର ଦ୍ବାରା 2000 ଅତ୍ୟାବଶ୍ୟକୀୟ ମେଡିସିନ୍ ଉପଲବ୍ଧ ହେବ । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସାଧାରଣ ସେବା କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳ ସମେତ ବିଭିନ୍ନ ହସ୍ପିଟାଲରେ ଭେଣ୍ଟିଲେଟର ଓ ଏକ୍ସ ରେ ମେସିନ ଯୋଗାଣ ହେବ ।
ଟିବି ପାଇଁ 2016-17 ଆର୍ଥିକ ବର୍ଷରେ 640 କୋଟି ଆକଳନ ହୋଇଥିଲା । 2018-19ରେ ଏହାକୁ 2840 କୋଟି ଯାଏଁ ବୃଦ୍ଧି କରାଗଲା । କମ୍ୟୁନିଟି ହେଲଥ୍ ସେଣ୍ଟରରେ ସରକାର ଟ୍ୟୁବେରକୂଲୋସିସ୍ ନିରୋଧକ ଔଷଧ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଟିବି ମାଇକ୍ରୋସ୍କୋପି ସେଣ୍ଟର ପାଇଁ 1500 ମେସିନ ତିଆରି କରୁଛନ୍ତି ଭାରତ ସରକାର ।
ସୁଶାସନ ବ୍ୟବସ୍ଥା
ସମକାଳୀନ ନିର୍ବାଚନ ଓ ସିଙ୍ଗଲ ଭୋଟର ଲିଷ୍ଟ ଏବେ ଯାଏଁ ପୂରଣ କରିନାହାନ୍ତି ସରକାର । ତେବେ 2018 ଅପେକ୍ଷା 2019ରେ 5 ପ୍ରତିଶତ ଲାଞ୍ଚ ଦେଉଥିବା ଲୋକଙ୍କ ସଂଖ୍ୟା କମିଛି । ଏହା ପୂର୍ବ ବର୍ଷ 56 ପ୍ରତିଶତ ଥିବାବେଳେ 2019ରେ 51 ପ୍ରତିଶତକୁ ହ୍ରାସ ପାଇଛି । ଦୁର୍ନୀତି ତାଲିକାରେ ଭାରତର ସ୍ଥାନ 180 ଦେଶମାନଙ୍କ ମଧ୍ୟରେ 78 ଥିଲା । ତେବେ ଭାରତ ସ୍କୋର ତାଲିକାରେ 41 ପଏଣ୍ଟ ପାଇଥିଲା । ଯେବେକି ବିଶ୍ବସ୍ତରରେ ହାରାହାରି ସ୍କୋର 43 ପଏଣ୍ଟ ଥିଲା । 100 ପଏଣ୍ଟ ରଖିଥିବା ଦେଶ ଦୁର୍ନୀତିମୁକ୍ତ ଥିଲେ ।
ପ୍ରଦୂଷଣ, ପରିବେଶ ଓ ଜଙ୍ଗଲ ବିଭାଗ ଉପରେ ଅଧିକ ଚାପ ରହିଛି । କାରଣ ଏସବୁ ବର୍ତ୍ତମାନ ପରିବେଶ ପାଇଁ ଉପଯୋଗୀ ଥିବାବେଳେ ଏଥିପାଇଁ 30 ପ୍ରତିଶତ କମ ଫଣ୍ଡ ରଖିଛନ୍ତି ସରକାର । ସେହିପରି ହିମାଳୟରେ ପ୍ରଦୂଷଣ ମୁକ୍ତ ଯୋଜନା ମଧ୍ୟ ଶୀତଳ ଭଣ୍ଡାରରେ ପଡିଛି । ତେବେ ଉତ୍ତର-ପୂର୍ବ ରାଜ୍ୟ ପାଇଁ 1232 କୋଟି ଟଙ୍କାର 49ଟି ବିକାଶମୂଳକ ପ୍ରକଳ୍ପ ତିଆରି କରାଯାଇଛି ।
ଯୁବ ଭାରତ- ଭବିଷ୍ୟତର ଭାରତ
ଯୁବପିଢି ପାଇଁ ଉତ୍ତମ କ୍ୟାରିୟର ସୁଯୋଗ ଆଣିବାକୁ ସରକାର ମାଇକ୍ରୋ ଏଣ୍ଟରପ୍ରାଇଜ ସେକ୍ଟରରେ 1.65 କୋଟି ଭାରତୀୟଙ୍କୁ ସୁଯୋଗ ଦେଇଛନ୍ତି । ଏଥିରେ 1.9 କୋଟି ମହିଳା ଉଦ୍ୟୋଗୀ ଉପକୃତ ହୋଇଛନ୍ତି । ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର 85 ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରାୟ ବାର୍ଷକ 1 କୋଟିରୁ ଅଧିକ ଯୁବପିଢିଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯାଉଛି ।
ମାଗଣାରେ ସମସ୍ତ ପ୍ରକାର ଖେଳ ଆୟୋଜନ କରିବାକୁ କ୍ରୀଡା ମନ୍ତ୍ରଣାଳୟ ସମସ୍ତ ସଙ୍ଗଠନକୁ ନିର୍ଦ୍ଦେଶ ଦେଇଛି । ନଭେମ୍ବର 1, 2019ରୁ ସରକାର ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଅଧୀନରେ ଏହା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଦେଶସାରା 4269 ମହିଳାଙ୍କ ସମେତ 14 ହଜାର 236 ପ୍ରତିଭାବାନ କ୍ରୀଡାବିତ 27ଟି ଖେଳ ପାଇଁ ସାଇରେ ତାଲିମ ନେଉଛନ୍ତି ।
ସମସ୍ତଙ୍କ ପାଇଁ ଶିକ୍ଷା
ଅକ୍ଟୋବର 2019ରେ ପ୍ରଧାନମନ୍ତ୍ରୀ ଇନୋଭେଟିଭ୍ ଲର୍ଣ୍ଣିଂ ପ୍ରୋଗ୍ରାମ ଧ୍ରୁବ ଲଞ୍ଚ ହୋଇଛି । ଇସ୍ରୋ ହେଡକ୍ବାର୍ଟର ପାଇଁ 60 ଜଣ ଛାତ୍ର ଚୟନ ହୋଇଛନ୍ତି । ଡିଜାଟାଲ ଲିଟେରେସି ଅଧୀନରେ ସରକାର ଏଯାଏଁ କିଛି କରିନାହାନ୍ତି । ଶିକ୍ଷା କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ 99 ହଜାର 300 କୋଟି ଟଙ୍କା ଆକଳନ କରିଛନ୍ତି । ଏଥିରୁ ସ୍କିଲ ଡେଭଲପମେଣ୍ଟ ପାଇଁ 3000 କୋଟି ଟଙ୍କା ରହିଛି ।
ମହିଳା ସଶକ୍ତିକରଣ
ମହିଳାଙ୍କ ପାଇଁ ଉନ୍ନୟନମୂଳକ ଯୋଜନା ପ୍ରକଳ୍ପରେ ସରକାର ଅନେକ ଘୋଷଣା କରିଛନ୍ତି କିନ୍ତୁ ଏବେ ଯାଏଁ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ । ନିର୍ଭୟା ଫଣ୍ଡରୁ 201.21 କୋଟି ଟଙ୍କା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିଲା । ହେଲେ 24 December 2019 ଯାଏଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ । ସରକାରଙ୍କ ବେଟି ବଚାଓ ବେଟି ପଢାଓ ଅଭିଯାନରେ ଆକଳନ ହୋଇଥିବା 280 କୋଟି ଟଙ୍କାରୁ ମାତ୍ର 43.94 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟାନ୍ୟ ପ୍ରକଳ୍ପରେ ମଧ୍ୟ ଆକଳନ ହୋଇଥିବା 1330 କୋଟି ଟଙ୍କାରୁ କେବଳ 204.77 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ବିଭାଗରେ ଅନେକ ଯୋଜନା ଘୋଷଣା କରିଥିବାବେଳେ ସବୁକିଛିର ପ୍ରଦର୍ଶନ କମ ରହିଛି । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଏହି ବିଭାଗ ସବୁଠାରୁ ଅଧିକ ଖରାପ ପ୍ରଦର୍ଶନ କରିଛି ।
ଗରିବଙ୍କ ବିକାଶ
ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ଅଧୀନରେ ମୋଟ୍ 799ଟି ବନ ଧନ ବିକାଶ କେନ୍ଦ୍ର 24ଟି ରାଜ୍ୟରେ ତିଆରି ହୋଇଛି । ଦେଶବ୍ୟାପୀ 12 ଲକ୍ଷ ଆଦିବାସୀଙ୍କ ଉତ୍ପାଦକୁ ଏହା ଅନେକ ଲାଭ ଦେଇଛି । ସେହିପରି ସାଧାରଣ ବର୍ଗଙ୍କ ମଧ୍ୟରେ ଆର୍ଥିକ ସ୍ତରରେ ଦୁର୍ବଳ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା 158ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ସରକାର 4315.15 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଜୁଲାଇ 2019ରେ ଏକ ଟ୍ରାନ୍ସଜେଣ୍ଡର ବିଲକୁ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛନ୍ତି । ଏହା କିନ୍ନରଙ୍କୁ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ସଶକ୍ତିକରଣ କରିବ ।
ସାଂସ୍କୃତିକ ଐତିହ୍ୟ
ନଭେମ୍ବର 2019ରେ ରାମ ମନ୍ଦିର ନିର୍ମାଣ କରିବାର ଐତିହାସିକ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ନମାମି ଗଙ୍ଗାରେ ଆକଳନ 28 ହଜାର 790 କୋଟି ଟଙ୍କାରୁ 29 ପ୍ରତିଶତ ଖର୍ଚ୍ଚ ହୋଇସାରିଛି । ପ୍ରକଳ୍ପର ଏବେ ସୁଦ୍ଧା 37 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଏଥିରେ କାର୍ଯ୍ୟ ତ୍ବରାନିତ କରିବାର ପ୍ରୟାସ ଜାରି ରହିଛି । ସେହିପରି ଜଳ ଶକ୍ତି ବିଭାଗ ଅଧୀନରେ ସମସ୍ତ ପବିତ୍ର ନଦୀକୁ ସୁରକ୍ଷିତ ରଖିବାର ପଦକ୍ଷେପ ନିଆଯାଉଛି ।
କୋଭିଡ 19 ମୁକାବିଲା
ମୋଦି 2.0 ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ କୋରୋନା ମୁକାବିଲା । ଏହି ସମୟରେ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । ଆଉ ଏହାକୁ ମୁକାବିଲା କରିବାରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏପରିକି ସାରା ବିଶ୍ବରେ ମୋଦି ସରକାରଙ୍କୁ ଅନେକ ପ୍ରଶଂସା କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଭାରତର ଉଦାହରଣ ନେବାକୁ ଅନ୍ୟ ଦେଶଙ୍କୁ ପରାମର୍ଶ ଦେଇଛି ।
ଏହି ସମୟରେ ସରକାର ଦେଶର ଗରିବ ଓ ଅସହାୟଙ୍କ ପାଇଁ ଅନେକ ଉପକାର କରିଛନ୍ତି । ବିଭିନ୍ନ ସାମଗ୍ରୀ ଯୋଗାଇବା ସହ ସବୁପ୍ରକାର ସହାୟତା ଦେଇଛନ୍ତି । ଉଜ୍ଜଳା ଯୋଜନା ଅଧୀନରେ 8.3 କୋଟି ମହିଳାଙ୍କ ସମେତ ଅନେକ ହିତାଧିକାରୀ ଉପକୃତ ହୋଇଛନ୍ତି । ସମସ୍ତଙ୍କୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ ସେବା ପ୍ରଦାନ କରାଯାଇଛି । ସେହିପରି ସରକାର କୋରୋନା ଆକ୍ରାନ୍ତଙ୍କୁ ଚିହ୍ନି ସେମାନଙ୍କଠାରୁ ସତର୍କ ରହିବା ପାଇଁ ଆରୋଗ୍ୟ ସେତୁ ଆପ୍ ବାହାର କରିଛନ୍ତି । ଲୋକଙ୍କୁ ସୁରକ୍ଷିତ ଭାବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ଦେଶବ୍ୟାପୀ 20 ଲକ୍ଷ ରିଟେସ ଦୋକାନ ସୁରକ୍ଷା ଷ୍ଟୋର ଖୋଲିବାକୁ ସରକାର ସ୍ଥିର କରିଛନ୍ତି ।
କୋଭିଡ 19 ସମ୍ବନ୍ଧରେ ସମସ୍ତ ତଥ୍ୟ ଦେଶବାସୀଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ 18 ହଜାର କୋଟି ଟଙ୍କାର ଟାକ୍ସ ରିଫଣ୍ଡ ବ୍ୟବସାୟୀ ଓ ଲୋକଙ୍କୁ ଦିଆଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ମାଗଣା ଲୋନର ରାଶି 2 ଗୁଣା କରିବା ସହ 20 ଲକ୍ଷ କରାଯାଇଛି । ପିଏମ କିଷାନ ଯୋଜନା ଅଧୀନରେ 6 କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଯାଇଛି । ପ୍ରଥମ କିସ୍ତିରେ 13 ହଜାର 855 କୋଟି ଟଙ୍କା ପ୍ରଦାନ କରାଯାଇଛି । ମନରେଗା ମଜୁରୀ 182ରୁ 202କୁ ବୃଦ୍ଧି ପାଇଛି ।
ନିକଟରେ ଅର୍ଥମନ୍ତ୍ରୀ 1.70 ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଇପିଏଫରୁ ତିନି ମାସର ଦରମା କର୍ମଚାରୀ ଉଠାଇପାରିବେ ବୋଲି ସରକାର ନିୟମ କରିଛନ୍ତି । ଜାତୀୟ ସୋସିଆଲ ସହାୟତା ପ୍ରୋଗ୍ରାମ ଅଧୀନରେ 2.82 କୋଟି ବୟସ୍କ ଲୋକ, ବିଧବା ଓ ଦିବ୍ୟାଙ୍ଗଙ୍କୁ 1400 କୋଟି ସହାୟତା ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ 2018-19ର ଆୟକର ଦେବାର ଶେଷ ତାରିଖ ଜୁନ୍ 30, 2020 ଯାଏଁ ବୃଦ୍ଧି କରାଯାଇଛି । ବିଳମ୍ବରେ ଆୟକର ପ୍ରଦାନ ସୁଧହାର 12ରୁ 9 ପ୍ରତିଶତକୁ ଖସିଛି । ସେହିପରି ଜିଏସଟି ରିଟର୍ଣ୍ଣର ଡେଡଲାଇନ ମଧ୍ୟ ଦୁନ 30କୁ ଘୁଞ୍ଚିଛି । ବିଲ୍ଡିଂ ଓ ନିର୍ମାଣଧୀନ ୱାର୍କର୍ସ ଫଣ୍ଡ ଅଧୀନରେ 2 କୋଟି ନିର୍ମାଣଧୀନ କର୍ମଚାରୀଙ୍କୁ 3066 କୋଟି ଟଙ୍କାର ସହାୟତା ମିଳିଛି । ପ୍ରାୟ 20 କୋଟି ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ 500 ଟଙ୍କା ଲେଖାଏଁ ବଣ୍ଟାଯାଇଛି । ଆଧାର-ପାନ୍ ଲିଙ୍କର ସମୟସୀମା ମାର୍ଚ୍ଚ 31ରୁ ଜୁନ୍ 30କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟକର୍ମୀଙ୍କୁ 50 ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ