ବେଙ୍ଗାଲୁରୁ: ରବିବାର ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ମୁନିରତ୍ନମଙ୍କ ଘର ନିକଟରେ ବିସ୍ଫୋରଣ । ତେବେ ଏହି ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣର କାରଣ ଜଣା ପଡିନାହିଁ । ମୃତ ବ୍ୟକ୍ତିଙ୍କ ନାମ ଭେଙ୍କଟେଶ ବୋଲି ଜଣା ପଡିଛି ।
ସୂଚନା ଅନୁସାରେ ଭେଙ୍କଟେଶ ଚାଲି ଚାଲି ଯାଉଥିବା ବେଳେ ଅଚାନକ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଛନ୍ତି । ଭେଙ୍କଟେଶ ସଫେଇ କର୍ମୀ ଭାବରେ କାମ କରୁଥିବାବେଳେ ଉକ୍ତ ବିଧାୟକଙ୍କ ଘର ପାଖରେ ତାଙ୍କ ଘର ରହିଥିବା ସୂଚନା ମିଳିଛି ।
ରାଜରାଜେଶ୍ବରୀ ନଗର ନିକଟରେ ଥିବା ବିଧାୟକଙ୍କ ଘର ପାଖରେ ସକାଳ ପ୍ରାୟ ୯: ୧୫ରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି ବେଙ୍ଗାଲୁରୁ ସିଟି ପୋଲିସ କମିଶନର ଟି.ସୁନୀଲ ।
ଘଟଣାସ୍ଥଳରେ ଫୋରନସିକ୍ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ବିସ୍ଫୋରଣ ଖବର ନିଜ ପରିବାର ଠାରୁ ଜାଣି ଥିବା କହିଛନ୍ତି ବିଧାୟକ । ଏହାସହ ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହାୟତା ପାଇଁ କହିଛନ୍ତି ମୁନିରତ୍ନମ । ମୃତ ଭେଙ୍କଟେଶଙ୍କୁ ପୂର୍ବରୁ ଜାଣିଥିବା କହିଛନ୍ତି କଂଗ୍ରେସ ବିଧାୟକ ମୁନିରତ୍ନମ ।