ନୂଆଦିଲ୍ଲୀ: ବୈଜ୍ଞାନିକମାନେ କୋରୋନା ଭାଇରସ୍ ଟୀକା ଉପରେ କଠିନ ପରିଶ୍ରମ କରୁଛନ୍ତି ଏବଂ ଯଦି ସେମାନଙ୍କ ଉଦ୍ୟମ ଫଳପ୍ରଦ ହୁଏ, ତେବେ କୋଭିଡ୍ ଯୋଦ୍ଧାମାନଙ୍କୁ ଏହାର ପ୍ରଥମ ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶନିବାର କହିଛନ୍ତି। ଦେଶରେ ଏବେ ୩ଟି କୋରୋନା ଟୀକା ଉପରେ ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତେ ଫଳାଫଳକୁ ଅପେକ୍ଷା କରିଛନ୍ତି। ତେବେ କୋରୋନା ଟିକା ଆସିଲେ ପ୍ରଥମେ ଏହି ଟିକା କାହାକୁ ଦିଆଯିବ ବୋଲି ଅନେକ ଆଲୋଚନା ଚାଲିଥିବା ବେଳେ ଏବେ ସେହି ସବୁ ଆଲୋଚନାର ଅନ୍ତ ଘଟିଛି। କୋରୋନା ଟିକା ଆସିଲେ ପ୍ରଥମେ ଏହା କୋରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ।
ଲାଲ କିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ଏହି ଘୋଷଣା କରିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନକୁ ପ୍ରଶଂସା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ଏହା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଐତିହାସିକ ଦିନ। ସ୍ୱାଧୀନତା ଦିବସର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଏହି ମିଶନ ଘୋଷଣା କରିଛନ୍ତି। ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ ।
ଯେତେବେଳେ ବୈଜ୍ଞାନିକମାନେ ସବୁଜ ସଙ୍କେତ ଦେବେ, ସେତେବେଳେ ଏହା ବହୁ ପରିମାଣରେ ଉତ୍ପାଦିତ ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ମୋଦି କହିଛନ୍ତି । ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଏହି ମିଶନ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବ ଏବଂ ଏହା ଟେକ୍ନୋଲୋଜି ସାହାଯ୍ୟରେ ଚିକିତ୍ସା ପାଇବାରେ ଉପୁଜୁଥିବା ସମସ୍ୟାକୁ ହ୍ରାସ କରିବ। ଏହି ମିଶନ ଦେଶରେ ସ୍ୱାସ୍ଥ୍ୟ ସେବାରେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିବ ବୋଲି ଆଶା କରାଯାଉଛି।