ରାୟପୁର: ପୁଅର ପୋଷ୍ଟମୋର୍ଟମ ରିପୋର୍ଟ ପାଇ ବାପାକୁ ଦେବାକୁ ପଡିଲା ଲାଞ୍ଚ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ ଗରିୟାବନ୍ଦ ଜିଲ୍ଲାରେ। ସେଠାକାର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବୃଦ୍ଧ ନିଜ ପୁଅର ପୋଷ୍ଟମୋର୍ଟମ ରିପୋର୍ଟ ପାଇବା ପାଇଁ ବାଧ୍ୟ ହୋଇ ଲାଞ୍ଚ ଦେବାକୁ ପଡିଲା । ଫଳରେ ସାନ ପୁଅର ବାଇକ୍ ବନ୍ଧା ରଖି ଟଙ୍କା ଦେଇଥିଲେ ।
ସେ ଅଭିଯୋଗ କରିଛନ୍ତି ଯେ, ‘ମୋ ପୁଅର ପୋଷ୍ଟମୋର୍ଟମ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଡାକ୍ତରଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ଝାଡୁଦାର କହିଥିଲା । ମୁଁ ତାଙ୍କୁ କହିଲି ଯେ ମୁଁ ବହୁତ ଗରିବ ଓ ମୁଁ ଟଙ୍କା ଦେଇ ପାରିବି ନାହିଁ କିନ୍ତୁ ସେ ମୋତେ ଗାଳି କରିଥିଲେ ଓ ପୋଷ୍ଟମୋର୍ଟମ ରିପୋର୍ଟ ଦେଇପାରିବୁ ନାହିଁ ବୋଲି କହିଥିଲେ’ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନେକ ଘଣ୍ଟା ଅପେକ୍ଷା କରିବା ପରେ ମୋ ସାନ ପୁଅ ନିଜ ମୋଟରସାଇକେଲକୁ ବନ୍ଧକ ରଖି 4000 ଟଙ୍କା ଦେଇଥିଲା। ଟଙ୍କା ପାଇବା ପରେ ସେମାନେ ପୋଷ୍ଟମୋର୍ଟମ ରିପୋର୍ଟ ଦେଇଥିଲେ । ପ୍ରକାଶଥାଉକି, ଗତ କିଛି ଦିନ ହେବ ନିଖୋଜ ଥିବା ପ୍ରମୋଦ ପୋର୍ଟି ନାମକ ଜଣେ ଯୁବକଙ୍କ ମୃତଦେହ ଜୁଲାଇ 24 ରେ ଗରିୟାବାନ୍ଦ ଜିଲ୍ଲାର ଦେବବାଗ ପୋଲିସ ସୀମା ଅନ୍ତର୍ଗତ ଚଲନାପଦର ଗ୍ରାମରେ ଥିବା ଏକ ପୋଖରୀ ନିକଟରୁ ଉଦ୍ଧାର କରାଯାଇଥିଲା। ପ୍ରମୋଦଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବାବେଳେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ତେବେ ଏନେଇ ପୂର୍ବତନ ସଂସଦୀୟ ସଚିବ ଗୋବର୍ଦ୍ଧନ ସିଂ ମଞ୍ଜୀ ମଧ୍ୟ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହାସହ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ଦଣ୍ଡ ଦିଆଯିବା ନେଇ ନିଶ୍ଚିତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ