ମହୀଶୂର: କୋଭିଡ 19 ମୁକାବିଲା ପାଇଁ କର୍ଣ୍ଣାଟକ ସରକାର ଅଭିନବ ଉପାୟ ବାହାର କରିଛନ୍ତି । ପୁରୁଣା ସରକାରୀ ବସକୁ ଭ୍ରାମ୍ୟମାଣ ସାନିଟାଇଜର ଟନେଲ ଭାବେ ତିଆରି କରାଯାଇଛି । ବିଶେଷ କରି ସର୍ବସାଧାରଣ ଜାଗାରେ ଏହିସବୁ ଟନେଲକୁ ବ୍ୟବହାର କରାଯିବ ବୋଲି ଜଣାପଡିଛି ।
କର୍ଣ୍ଣାଟକର ସାଂସ୍କୃତିକ ସହର ମହୀଶୂରରେ ଏପରି ପନ୍ଥା ଆପଣାଯାଇଛି । ଏହି ବସ ସବୁର ନାମ ରହିଛି ‘ସାରିଗେ ସଞ୍ଜିବନୀ’ । ସର୍ବସାଧାଣ ଜାଗାରେ ଲୋକମାନେ ପରସ୍ପର ଦ୍ବାରା ସଂକ୍ରମିତ ନହେବା ପାଇଁ ଏପରି ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ରହିଛି । ସହର ଓ ଗ୍ରାମୀଣ ଅଞ୍ଚଳର କେଏସଆରଟିସି ପକ୍ଷରୁ ସରକାରଙ୍କୁ ସାହାଯ୍ୟ କରିବାକୁ ପୁରୁଣା ବସକୁ ନୂଆ ରୂପ ଦିଆଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ପୁରୁଣା ବଗିକୁ ଆଇସୋଲେସନ ୱାର୍ଡରେ ପରିବର୍ତ୍ତନ କରାଯିବା ପରେ କର୍ଣ୍ଣାଟକର କେଏସଆରଟିସି ପକ୍ଷରୁ ଏପରି ଉପାୟ ବାହାର କରାଯାଇଛି ।
ଯେଉଁ ଜାଗାରେ ଲୋକଙ୍କର ଅଧିକ ଭିଡ ଲାଗିଥାଏ ସେଠାରେ ଏହି ଭ୍ରାମ୍ୟମାଣ ସାନିଟାଇଜର ବସକୁ ତିଆରି କରାଯାଇଛି । ସାରା ରାଜ୍ୟରେ ଏପରି ବ୍ୟବସ୍ଥା ଆପଣାଯାଇଛି । ଏହାଦ୍ବାରା ସଂକ୍ରମଣକୁ ରୋକାଯାଇପାରିବ । କୌଣସି ନିର୍ଦ୍ଦିଷ୍ଟ ଜାଗାକୁ ଯିବା ପୂର୍ବରୁ ଲୋକେ ଏହି ଟନେଲ ଭିତର ଦେଇ ପ୍ରଥମେ ପାସ କରିବେ । ଏଥିରେ ସେମାନଙ୍କୁ ସାନିଟାଇଜ କରିବାର ସମସ୍ତ ବ୍ୟବସ୍ଥା ରହିଛି । ମହୀଶୂରରେ ବହୁତ ପୁରୁଣା ବସକୁ ଏଥିରେ ବ୍ୟବହାର କରାଯାଇଛି । ବେକାର ପଡି ପଡି ନଷ୍ଟ ହେବା ଅପେକ୍ଷା ଏହାକୁ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏଥିରେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିନାହିଁ । ଏକ 12 ବର୍ଷର ପୁରୁଣା ବସକୁ ସାନିଟାଇଜର ଟନେଲ ବନାଇବାରେ ଖର୍ଚ୍ଚ ହୋଇଛି ମାତ୍ର 12 ହଜାର ଟଙ୍କା । ବସର ପ୍ରବେଶ ଦ୍ବାର ଦେଇ ଲୋକେ ପ୍ରବେଶ କରିବେ । ବାହାରିବା ପୂର୍ବରୁ ଟନେଲ ଭିତରେ ସେମାନଙ୍କ ଉପରେ ସାନିଟାଇଜର ସ୍ପ୍ରେ ହେବ । ଫଳରେ ସେମାନଙ୍କୁ କୋରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ମିଳିବ । ଏହି ବ୍ୟବସ୍ଥାକୁ କେଏସଆରଟିସିର ଭିଜିଲାନ୍ସ ନିର୍ଦ୍ଦେଶକ ଡା. ରାମ ବିଳାସ ସେପାଟ ମହୀଶୂର ଗ୍ରାମୀଣ ଡିଭିଜନ ଡିପୋଟରେ ଉଦଘାଟନ କରିଛନ୍ତି ।
ବର୍ତ୍ତମାନ ପାଇଁ ଜରୁରୀକାଳୀନ ସମୟରେ କାମ କରୁଥିବା ସମସ୍ତ ଆଗଧାଡିର କର୍ମଚାରୀ ଏହାକୁ ବ୍ୟବହାର କରିପାରିବେ । ପୋଲିସ, ସଫେଇ କର୍ମୀ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ଡାକ୍ତର, ନର୍ସ, ପୌର ପରିଷଦର କର୍ମଚାରୀ ଏହି ବସ ଟନେଲ ଭିତରେ ପ୍ରବେଶ କରି ସବୁ ଜାଗାକୁ ଯିବେ । ଲକଡାଉନ ପରେ ଏହାକୁ ସମସ୍ତ ବସ ଟର୍ମିନାଲରେ ରଖାଯିବାର ଲକ୍ଷ୍ୟ ରଖିଛି କେସିଆରଟିସି । ଏବେ ପର୍ଯ୍ୟନ୍ତ 2ଟି ବସ ଟନେଲ ତିଆରି ହୋଇଥିବା ସୂଚନା ମିଳିଛି ।