ହାଇଦ୍ରାବାଦ: ବିଶ୍ବର ପ୍ରାୟ ଏକ ଚତୁର୍ଥାଂଶ ଦିବ୍ୟାଙ୍ଗଙ୍କ ମଧ୍ୟରେ ଶ୍ରବଣ ଶକ୍ତିରେ ସମସ୍ୟା ଦେଖାଯାଇଥାଏ । ଏହି ମତ ରଖିଛିନ୍ତି ଜାପାନର ଏକ ବୈଜ୍ଞାନିକ ଦଳ । ଏହାଦ୍ବାରା ମନୁଷ୍ୟ ମଧ୍ୟରେ ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ଦେଖିବାକୁ ମିଳିପାରେ । ପ୍ରାୟ 90 ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ବାର୍ଦ୍ଧକ୍ୟ । ଏପଟେ ବିଶ୍ବରେ ଦିନକୁ ଦିନ ବୃଦ୍ଧାଙ୍କ ସଂଖ୍ୟା ବଢିବା ସହ ନଶୁଣିପାରିବା ସମସ୍ୟା ବଢିଚାଲିଛି ।
ଯୋଗାଯୋଗ କରିବାର ଏକ ମୁଖ୍ୟ ମାଧ୍ୟମ ହେଉଛି କାନ । ଯୋଗାଯୋଗ କରିବା ପାଇଁ ହେଲେ କୌଣଷି ବିଷୟ ଶୁଣିବା ଜରୁରୀ । ତେବେ ଶୁଣିବାରେ ବାଧକ ସୃଷ୍ଟି ହେଲେ ଯୋଗାଯୋଗ ବିଚ୍ଛିନ୍ନ ହେବ । ଏହା ଦ୍ବାରା ମାନସିକ ଚାପ ବୃଦ୍ଧି ପାଏ ।
ଜାପାନର ସୁକୁବା ୟୁନିଭର୍ସିଟିର ଏକ ବୈଜ୍ଞାନିକ ଦଳ, ବୃଦ୍ଧ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଶ୍ରବଣ ଶକ୍ତିରେ ହ୍ରାସ ଓ ଅନ୍ୟ ରୋଗ ବିଷୟରେ ଏକ ରିସର୍ଚ୍ଚ କରଥିଲେ । ସେ ମୁଖ୍ୟତଃ ତିନୋଟି ଦିଗକୁ ନେଇ ରିସର୍ଚ୍ଚ କରିଥିଲେ ଓ ତିନୋଟି ଦିଗର ସମ୍ପର୍କ ଶ୍ରବଣ ଶକ୍ତି ସହ ରହିଛି । ଜାପାନର ଏକ ଟିମ ଦେଶର 2 ଲକ୍ଷ 20 ହଜାର ଲୋକଙ୍କ ମଧ୍ୟରୁ ପ୍ରାୟ 1 ଲକ୍ଷ 38 ହଜାର ଲୋକଙ୍କୁ ନେଇ ସର୍ଭେ କରିଥିଲେ, ଯାହାଙ୍କ ବୟସ 65ରୁ ଊର୍ଦ୍ଧ୍ବ । ସେମାନଙ୍କୁ ନେଇ ରିସର୍ଚ୍ଚ କରାଗଲା ।
ପ୍ରଥମେ ଗ୍ରହଣ କରାଯାଇଥିବା ତିନୋଟି କ୍ଷେତ୍ର ଯଥା, ବାହାର କାର୍ଯ୍ୟରେ କମ ନିୟୋଜିତ ହେବା, ମନୋବିଜ୍ଞାନ ସଙ୍କଟ, ଓ ସ୍ମରଣଶକ୍ତି ହାନୀକୁ ରିସର୍ଚ୍ଚରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଶ୍ରବଣ ଶକ୍ତି ହ୍ରାସ ପାଇବା ଦ୍ବାରା ଏସବୁ ସମସ୍ୟା ଦେଖାଯାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଥିଲା ।
1 ଲକ୍ଷ 38 ହଜାର ଲୋକଙ୍କ ମଧ୍ୟରୁ 9 ପ୍ରତିଶତ ଲୋକ ଶୁଣିବାରେ ଅସୁବିଧା ଥିବାର ଜଣାଇଥିଲେ । ବୟସର ବୃଦ୍ଧି ହେବା ସହ ଏହି ସମସ୍ୟା ମଧ୍ୟ ବଢିଥାଏ । ତେବେ ରିସର୍ଚ୍ଚ ମୁତାବକ, 28.9 ପ୍ରତିଶତ ବୃଦ୍ଧ ଶ୍ରବଣ ଶକ୍ତି ହ୍ରାସ କାରଣରୁ ବାହାର କାମ କରିପାରିନଥାନ୍ତି । ଅନ୍ୟପକ୍ଷେ 9.5 ପ୍ରତିଶତ ବୃଦ୍ଧଙ୍କ ଶ୍ରବଣ ଶକ୍ତିରେ କୌଣସି ସମସ୍ୟା ନଥାଏ । କମ୍ ଶୁଣାଯାଉଥିବାରୁ 39.7 ପ୍ରତିଶତ ଲୋକ ମାନସିକ ଚିନ୍ତାରେ ଥିବା ବେଳେ 19.3 ପ୍ରତିଶତ ଲୋକଙ୍କ ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥାଏ । ଅନ୍ୟପଟେ 37.7 ପ୍ରତିଶତ ଲୋକଙ୍କ ସ୍ମରଣଶକ୍ତିରେ ପ୍ରଭାବ ପଡୁଥିବା ବେଳେ 5.2 ପ୍ରତିଶତଙ୍କ ମଧ୍ୟରେ ସେପରି କିଛି ଅସୁବିଧା ଦେଖିବାକୁ ମିଳେ ନାହିଁ ।
ବୃଦ୍ଧା ଅବସ୍ଥାରେ ଶ୍ରବଣ ଶକ୍ତିରେ ହ୍ରାସ ଶାରୀରିକ ଓ ମାନସିକ ଭାବରେ ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଶ୍ରବଣ ଶକ୍ତି ହରାଇବା ଏକ ବାର୍ଦ୍ଧକ୍ୟ ସମସ୍ୟା ଓ ଏହାକୁ ନେଇ ବିଚଳିତ ହେବା ଜରୁରୀ ନୁହେଁ । ଏଥିପାଇଁ ସ୍ବଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀ ମାନଙ୍କୁ ସଚେତନାର ବାର୍ତ୍ତା ଦେବା ଉଚିତ୍ ।