ହାଇଦ୍ରାବାଦ: କୋରୋନା ମୁକାବିଲା ଲାଗି ସାରା ଦେଶକୁ 21 ଦିନ ଲାଗି ଲକ୍ଡାଉନ୍ ଘୋଷଣା କରାଯାଇଛି । ମାର୍ଚ୍ଚ 25 ତାରିଖରୁ ସାରାଦେଶକୁ 21 ଦିନ ପାଇଁ ଲକ୍ଡାଉନ୍ କରିଦିଆଯାଇଛି । ଯିଏ ଯେଉଁଠି ରହିଛି ତାକୁ ସେଇଠି ରହିବାକୁ କୁହାଯାଇଛି । ଯାନବାହାନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ତେବେ ଏହାରି ଭିତରେ ଦାଦନ ଶ୍ରମିକ ମାନଙ୍କ ଦୁଃଖ କିନ୍ତୁ ବଢିଯାଇଛି । ଖଟିଖିଆଙ୍କ ପାଇଁ ଲକ୍ଡାଉନ୍ କାଳ ସାଜିଛି । ଗୋଟିଏ ପଟେ କାମ ମିଳୁନଥିବାବେଳେ ଅନ୍ୟପଟେ ଦୋକାନ ବଜାର ବନ୍ଦ ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।
ଯାହା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହୁଥିବା କିଛି ଓଡିଆ ଶ୍ରମିକଙ୍କୁ ଦେଖିଲେ ଜଣାପଡୁଛି । ସେମାନଙ୍କୁ କାମ ମିଳୁନଥିବାବେଳେ ଦୋକାନ ବଜାର ବନ୍ଦ ଲାଗି ସେମାନଙ୍କ ଖାଇବା, ପିଇବା ଦୁର୍ବିସହ ହୋଇପଡିଛି । କେବଳ ସ୍ବେଚ୍ଛାସେବୀ ତଥା କୌଣସି ସହୃଦୟ ବ୍ୟକ୍ତି ଦେଉଥିବା ଖାଦ୍ୟରେ ହିଁ ତାଙ୍କର କାଳକଟୁଥିବାବେଳେ ସେମାନେ ରାଜ୍ୟକୁ ଯିବାକୁ ଆଗ୍ରହ ଦେଖାଇଛନ୍ତି । ସରକାର ତାଙ୍କ କଥା ଶୁଣି ତାଙ୍କ ଦୁଃଖ ବୁଝି ଶୀଘ୍ର ସେମାନଙ୍କୁ ଫେରାଇନେବାକୁ ଅନୁରୋଧ କରିଛନ୍ତି ।
ଦୁଇପଇସା ରୋଜଗାର ପାଇଁ ଓଡିଶାରୁ ଆନ୍ଧ୍ରପ୍ରଦେଶ ଚାଲିଆସିଥିବାବେଳେ ଏ ଅସମୟରେ ସେ ଓଡିଶା ଫେରିଯିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ସେପଟେ ଓଡିଶାର ଦାଦନ ଶ୍ରମିକଙ୍କ ସୁବିଧା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ ଏଠାରେ କୌଣସି ସରକାରୀ ସହାୟତା ପହଞ୍ଚିନଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ