ଗାନ୍ଧୀନଗର: ଅଙ୍ଗଦାନ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ଓଡିଆ । ସବୁ ଦିନ ପାଇଁ ଆରପରିକୁ ଚାଲିଯାଇଛନ୍ତି, ହେଲେ 5 ଜଣଙ୍କୁ ଦେଇଛନ୍ତି ନୂଆ ଜୀବନ । ଅଙ୍ଗଦାନ ଭଳି ମହାନ କାର୍ଯ୍ୟ କରି ସାମାଜ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜୁରାଟର ସୁରଟ ସହରରେ ରହୁଥିବା ଓଡିଆ ଯୁବକ ବିପିନ ରଘୁ ପ୍ରଧାନ।
44 ବର୍ଷୀୟ ବିପିନ ନିଜ ପରିବାର ସହ ସୁରଟରେ ରୁହନ୍ତି । ମାର୍ଚ୍ଚ 9 ତାରିଖରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ବିପିନଙ୍କୁ ବ୍ରେନ ଡେଡ୍ ଘୋଷଣା କରିଦେଲେ । ଏପରି ପରିସ୍ଥିତିରେ ପରିବାର ଲୋକେ ଭାଙ୍ଗି ନପଡି ଅଙ୍ଗଦାନ କରିବାକୁ ବିଚାର କଲେ । ଗୁଜୁରାଟର ଓଡିଶା ସମାଜର ସହାୟତାରେ ଅହମ୍ମଦାବାଦ ପଠାଇ ଦିଆଗଲା । ବିପିନଙ୍କ ଯକୃତ, କିଡନୀ, ଆଖି, ହୃତପିଣ୍ଡ । ଗ୍ରୀନ କରିଡରରେ ପାଖାପାଖି 260 କିଲୋମିଟର ଦୂରତା ଅତିକ୍ରମ କରି ଅହମ୍ମଦାବାଦ ପହଞ୍ଚିଲା ଶରୀରରୁ କଢାହୋଇଥିବା ଏହି ଅଙ୍ଗ । ଆଉ ଏହି ଅଙ୍ଗ ପ୍ରତିରୋପଣ ପରେ ବଞ୍ଚିପାରିଛି 5 ଜଣଙ୍କ ଜୀବନ ।
ଅଙ୍ଗଦାନ ଏକ ଅଭିଯାନ ନୁହେଁ, ଏହା ଏବେ ମହାନ ପରମ୍ପରା ପାଲଟିଛି । ଆଉ ଏହି ପମ୍ପରାକୁ ବଜାୟ ରଖି ନିଜ ମହାନ କାର୍ଯ୍ୟ ପାଇଁ ମରି ବି ଚୀର ଦିନ ଅମର ହୋଇଯାଇଛନ୍ତି ଓଡିଆ ପୁଅ ବିପିନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ