ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଦେଶର ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ବ ବୁଲା ବିକାଳୀଙ୍କୁ ସୁଲଭ ମୂଲ୍ୟରେ ଋଣ ମଞ୍ଜୁର କରିସାରିଛନ୍ତି କେନ୍ଦ୍ରସରକାର । 'ଆତ୍ମନିର୍ଭର ଭାରତ' ଅନ୍ତର୍ଗତ ଏହି ଋଣ ମଞ୍ଜୁର ହୋଇଛି । ତେବେ ଏହା ଦ୍ବାରା ଦେଶର ବୁଲାବିକାଳୀ ଲାଭବାନ ହେବା ସହ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ଲକଡାଉନ ପରେ ମହାମାରୀ କୋରୋନା ସମୟରେ ରୋଜଗାର ହରାଇଥିବା ଲକ୍ଷଲକ୍ଷ ବୁଲାବିକାଳୀଙ୍କ ଜୀବନ ପୂନର୍ବାର ସ୍ବଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ଜୁଲାଇ 2ରେ ପିଏମ ସ୍ବନିଧି ଯୋଜନାରେ ଋଣଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଘୋଷଣାର 41 ଦିନ ମଧ୍ୟରେ 1 ଲକ୍ଷ ବୁଲାବିକାଳୀଙ୍କୁ ଋଣ ମଞ୍ଜୁରୀ କରାଯାଇଥିବା ବେଳେ ଅଗଷ୍ଟ 11 ସୁଦ୍ଧା ଋଣ ପାଇଁ ପାଖାପାଖି 5 ଲକ୍ଷ ଆବେଦନପତ୍ର ଦାଖଲ ହୋଇସାରିଥିବା ଜଣାପଡିଛି ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପିଏମ ସ୍ବନିଧି ଯୋଜନାର ଆରମ୍ଭ ହୋଇଥିଲା। ଏହି ଯୋଜନାରେ 10,000 ଟଙ୍କା ପର୍ଯ୍ୟନ୍ତ ଏକ ବର୍ଷ ମଧ୍ୟରେ ସହରାଞ୍ଚଳର ପ୍ରାୟ 50 ଲକ୍ଷ ବୁଲାବିକାଳୀଙ୍କୁ ଋଣ ଦିଆଯିବାର ଲକ୍ଷ ରଖାଯାଇଛି | ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧ 7 ପ୍ରତିଶତ ହାରରରେ ପ୍ରୋତ୍ସାହନ, ନିର୍ଦ୍ଦିଷ୍ଟ ଡିଜିଟାଲ କାରବାର କରିବା ପାଇଁ ବାର୍ଷିକ 1200 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଏବଂ ପରବର୍ତ୍ତୀ ଋଣ ପାଇଁ ଯୋଗ୍ୟତା ମଧ୍ୟ ପ୍ରଦାନ କରାଯାଇଛି |