ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ଏହି ଅଧିବେଶନ ସମୟରେ ଯଦି କୌଣସି କାରଣରୁ ସଂସଦରେ ଦିନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ତେବେ ଶୂନ୍ୟକାଳର ସଂସଦଙ୍କ ଦ୍ବାରା ସାମୂହିକ ଉନ୍ନତି ପାଇଁ ଦିଆଯାଉଥିବା ପ୍ରସ୍ତାବକୁ ଖାରଜ କରିଦିଆଯିବ ବୋଲି ରାଜ୍ୟସଭା ଅଧ୍ଯକ୍ଷ କହିଛନ୍ତି ।
ତେବେ ଶୂନ୍ୟକାଳ ମଧ୍ୟରେ ଆଲୋଚନା ହେବାକୁ ଥିବା ଆଲୋଚନା ଯଦି ବନ୍ଦ ହେଇଯାଉଛି ତାହା ସ୍ବତନ୍ତ୍ର ଅନୁମତି ଜରିଆରେ ପରଦିନକୁ ଘୁଞ୍ଚାଇ ଦିଆଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଆଲୋଚନା ପ୍ରତିଦିନ 11ଟାରୁ 12ଟା ମଧ୍ୟରେ ହେବ ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଗୃହରେ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ତଥା ଗଣ୍ଡଗୋଳ କରିବା କିଛି ସଦସ୍ୟଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ଏଭଳି ହେବା ଦ୍ବାରା ସଭାପତି ଗୃହକୁ ସ୍ଥଗିତ କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି ସେ ସୂଚନା ଦେଇଥିଲେ ।
ସେ ଆହୁରି ମଧ୍ୟ କହିଥିଲେ, ଆଲୋଚନା ସମୟରେ ଯଦି ସଦସ୍ୟଙ୍କ ଆଲୋଚନା ଉପସ୍ଥାପିତ ହୋଇପାରୁନାହିଁ, ତେବେ ତାହା ପରଦିନ ଗୃହରେ ଉପସ୍ଥାପିତ ହୋଇଯିବ ବୋଲି କିଛି ସଦସ୍ୟ ଭାବିଥାନ୍ତି । ମାତ୍ର ତାହା ଏଣିକି ହୋଇ ପାରିବ ନାହିଁ । ପରଦିନ ଉପସ୍ଥାପିତ କରିବାକୁ ହେଲେ ସ୍ବତନ୍ତ୍ର ଅନୁମତି ହାତେଇବାକୁ ପଡ଼ିବ । ଯଦି ସେମାନେ ଅନୁମତି ନ ନେଇ ଗୃହରେ ସେମାନେ ଉପସ୍ଥାପିତ କରିଥାନ୍ତି, ତେବେ ତାକୁ ଖାରଜ କରି ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
ନାଇଡ଼ୁ ଆହୁରି ମଧ୍ୟ କହିଥିଲେ କି, କୌଣସି ପ୍ରକାର ବସ୍ତୁ ଗୃହରେ ପ୍ରଦର୍ଶିତ କରାଯାଇ ପାରିବ ନାହିଁ । ତେବେ ସେ ପ୍ଲାକାର୍ଡ, ଖବର କାଗଜର କୌଣସି ଆଲେଖ୍ୟ ହେଉ ଅବା କୌଣସି ପ୍ରକାର ଏୟାର ପିୟୁରିଫାୟରସ କିମ୍ବା ମାସ୍କ ଗୃହରେ ଦେଖାଇ କୌଣସି ସଦସ୍ୟଙ୍କୁ ସମାଲୋଚନା କରାଯାଇପାରିବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ଏହା ସହିତ ଏଭଳି କାର୍ଯ୍ୟ କଲେ କିମ୍ବା ପ୍ରଦର୍ଶିତ କଲେ ଉକ୍ତ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସେହିଭଳି ସଭାପତି ଆହୁରି ମଧ୍ୟ କହିଥିଲେ ଯେ, ଗୃହର କୌଣସି ସଦସ୍ୟଙ୍କ ପତ୍ର, ସୂଚନା ଯଦି ତାଙ୍କୁ ମିଳିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥାଏ ତେବେ ତାହାକୁ ଖାରିଜ କରିଦିଆଯିବ ଏବଂ ସେ କୌଣସି ପ୍ରକାର ରାଜନୈତିକ ଚାପରେ ଆସିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏପରିକି କୌଣସି ସ୍ବତନ୍ତ୍ର ନିୟମ ଉପରେ ଚର୍ଚ୍ଚା କରିବାକୁ ଅନୁମତି ଦେବା ବା ତାକୁ ଖାରିଜ କରିଦେବା ତାଙ୍କର ସ୍ବତନ୍ତ୍ର ଅଧିକାର ରହିଛି ବୋଲି ସେ ସୂଚନା ଦେଇଥିଲେ ।
ସୂଚନା ଯୋଗ୍ୟ ରାଜ୍ୟସଭାରେ ବର୍ତ୍ତମାନ 250ତମ ଅଧିବେଶନ ଚାଲୁଛି । ଏହି ଅବସରରେ ଅଧ୍ଯକ୍ଷ ସମସ୍ତ ସଦସ୍ୟଙ୍କୁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଶୂନ୍ୟ କାଳ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜଓ୍ବା ବ୍ୟାଙ୍କିଂ ସେକ୍ଟରରେ ହୋଇଥିବା ଅର୍ଥ ହେରଫେର ଏବଂ ଦୁର୍ନିତି ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ଚାହିଁଥିଲେ । ଲୋକମାନଙ୍କ ପଇଠ ଅର୍ଥ ବ୍ୟାଙ୍କରେ ସୁରକ୍ଷିତ ରହିଛି ବୋଲି ସରକାର ଉତ୍ତର ଦିଅନ୍ତୁ ବୋଲି ସେ ଜବାବ ମାଗିଥିଲେ । ଏନେଇ ବାଜବା କହିଥିଲେ କି ପଇଠ କରାଯାଇଥିବା ଅର୍ଥ ବ୍ୟାଙ୍କରେ ସୁରକ୍ଷିତ ନାହିଁ ବୋଲି ଲୋକମାନେ ଚିନ୍ତା କରୁଛନ୍ତି ।
ସେହିଭଳି ବିଜେପି ସଦସ୍ୟ ରାମ କୁମାର ବର୍ମା ଏବଂ କିରୋଡ଼ି ଲାଲ ମିଣା କହିଥିଲେ, ରାଜସ୍ଥାନର ସାମ୍ବର ହ୍ରଦରେ ବିଦେଶୀ ପକ୍ଷୀ ବ୍ୟାପକ ସଂଖ୍ୟାରେ ମୃତ୍ୟୁ ବରଣ କରୁଛନ୍ତି । ଏହି ମାମଲାରେ କେନ୍ଦ୍ର ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମିଣା କହିଥିଲେ କି ଏହି ସମସ୍ୟାର ବ୍ୟାପକ ଓ ସଠିକ ଯାଞ୍ଚର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ ।
ସେହିଭଳି ଘୁର୍ଣ୍ଣିଝଡ଼ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ କେନ୍ଦ୍ର ଓଡ଼ିଶାକୁ ଖୁବଶୀଘ୍ର ଅର୍ଥ ମଞ୍ଜୁର କରିବା ପାଇଁ ଦାବି କରିଥିଲେ ବିଜେଡ଼ି ସଦସ୍ୟ ଅମର ପଟ୍ଟନାୟକ । ଏମଡିଏମକେ ସାଂସଦ ଭାଇକୋ ବିମାନଗୁଡ଼ିକରେ ଆଞ୍ଚଳିକ ଭାଷାରେ ଘୋଷଣା କରିବା ପାଇଁ ଦାବି ଉଠାଇଥିଲେ । ଏହି ଦାବିରେ ବାଚସ୍ପତି ନାଇଡ଼ୁ କହିଥିଲେ ଏହା ନିଶ୍ଚିତ ପକ୍ଷେ ଏକ ଜନହିତକର ଦାବି । ଏହା ଉପରେ କେନ୍ଦ୍ର ବିମାନ ଚଳାଚଳ ବିଭାଗ ବିଚାର କରିବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ ।
ସେହିଭଳି କଂଗ୍ରେସର ରାଜମଣି ପଟେଲ କହିଥିଲେ ଯେ ମଧ୍ୟପ୍ରଦେଶରେ ସିମେଣ୍ଟ ନିର୍ମାତାଙ୍କ ଦ୍ବାରା ପରିବେଶ ଏବଂ ଶ୍ରମ କାନୁନର ଉଲ୍ଲଂଘନ କରାଯାଉଛି । ଏହି ସମସ୍ୟା ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେବା ସହିତ ଏହାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ ।
କୋଲକାତାରୁ ସିଧାସଳଖ ଭାବେ ୟୁରୋପକୁ ବିମାନ ଚଳାଚଳ ପାଇଁ ଟିଏମସି ନେତା ଅହମ୍ମଦ ହସନ ଦାବି କରିଛନ୍ତି । ଯୋଗାଯୋଗର ଅଭାବ ପାଇଁ ଉତ୍ତର ଭାରତରେ ବାଣିଜ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ ଦାବି କରିଥିଲେ । ସେହିଭଳି ନଡ଼ିଆ ଏବଂ କାଜୁର ଚୋପାଛଡ଼ା କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ପ୍ରାବଧାନ ଆଣିବାକୁ ଟିଏମସି ନେତା ବିପ୍ଲବ ଠାକୁର କହିଥିଲେ ।