କୋରୋନା ମହାମାରୀ ସମୟରେ ଉପସାଗରୀୟ ଦେଶଗୁଡିକରେ ଥିବା ବହୁସଂଖ୍ୟକ ପ୍ରବାସୀ ଭାରତୀୟ ଶ୍ରମିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉପଯୁକ୍ତ ସ୍ବାସ୍ଥ୍ୟସେବା, ଆଇସୋଲେସନ ଓ କ୍ବାରେଣ୍ଟଇନ ବ୍ୟବସ୍ଥାର ଅଭାବ ଭଳି ସମସ୍ୟାର ସାମନା କରୁଛନ୍ତି ପ୍ରବାସୀ ଭାରତୀୟ ଶ୍ରମିକ । ଉପସାଗରୀୟ ଦେଶଗୁଡିକରେ ଥିବା ୯ ମିଲିୟନ ଭାରତୀୟ ଶ୍ରମିକଙ୍କ ମଧ୍ୟରୁ କେବଳ ୟୁଏଇରେ ହିଁ ତିନି ମିଲିଅନରୁ ଅଧିକ ଭାରତୀୟ ବ୍ଲୁ କଲାର୍ ଜବ୍ କରୁଛନ୍ତି । ଆଗାମୀ ଦିନରେ ଭାରତୀୟ ଓ ଅନ୍ୟ ଦେଶର ନାଗରିକଙ୍କୁ ସେଠାରୁ ଫେରାଇ ନେବା ପାଇଁ ୟୁଏଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୟୁଏଇରୁ ଭାରତୀୟ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେରଳ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । କେରଳରୁ ହିଁ ଅଧିକାଂଶ ଲୋକ ଉପସାଗରୀୟ ଦେଶଗୁଡିକୁ କାମ ପାଇଁ ଯାଇଥାନ୍ତି ।
କୋରୋନା ମହାମାରୀ ପରିପ୍ରେକ୍ଷୀରେ ଉପସାଗରୀୟ ଦେଶଗୁଡିକରେ ସୃଷ୍ଟି ହୋଇଥିବା ସମସ୍ୟା, ଛଟେଇ ଓ ପ୍ରବାସୀ ଭାରତୀୟଙ୍କ ଉପରେ ଏହାର ପ୍ରଭାବ ନେଇ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା, ୟୁଏଇରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ଅବଜର୍ଭ ରିସର୍ଚ୍ଚ ଫାଉଣ୍ଡେସନର ସମ୍ମାନନୀୟ ଫେଲୋ ନବଦୀପ ସୁରୀଙ୍କ ସହ ଆଲୋଚନା କରିଥିଲେ । ତେବେ, ପୂର୍ବତନ କୂଟନୀତିଜ୍ଞଙ୍କ ଅନୁସାରେ, ଉପସାଗରୀୟ ଦେଶଗୁଡିକରେ ଏ ଯାଏଁ କୌଣସି ମାନବୀୟ ସଙ୍କଟ ସୃଷ୍ଟି ହୋଇନାହିଁ । ତେଣୁ ସେଠାରୁ କୋଟି କୋଟି ଲୋକଙ୍କୁ ଫେରାଇ ଆଣିବା ହିଁ କୌଣସି ସମାଧାନ ନୁହେଁ । ଏ ନେଇ କୌଣସି ଆତଙ୍କର ବାତାବରଣ ସୃଷ୍ଟି ନହେଉ ବୋଲି ସେ କହିଛନ୍ତି ।
କୋରୋନା ମହମାରୀ ପୂର୍ବରୁ ହିଁ ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା । କୋରୋନା ବିରୋଧୀ ମିଳିତ ଲଢେଇ ପାଇଁ ପ୍ରସ୍ତାବ କାଯ୍ୟ ର୍କାରୀ କରିବା ପୂର୍ବରୁ ଜି-୨୦ ଭଳି ରାଷ୍ଟ୍ର ଗୋଷ୍ଠୀ ଆର୍ଥିକ ସଂକଟ ଦୂର ପାଇଁ ଉଦ୍ୟମ କରିବା ଦରକାର ବୋଲି ସୁରୀ କହିଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାର ପବିତ୍ର ମକ୍କା ଓ ମଦିନାରେ ହଜ୍ ଭଳି ତୀର୍ଥଯାତ୍ରା ଓ ଧାର୍ମିକ ସମାଗମ ନେଇ ପୁନଃବିଚାର କରୁଛି ବୋଲି ପୂର୍ବତନ କୂଟନୀତିଜ୍ଞ କହିଛନ୍ତି । ସୁରୀ ଆହୁରି ବି କହିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ମିଳିଥିବା ଶିକ୍ଷା ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ କ୍ଷେତ୍ରରେ ବି ଲାଗୁ ହେବ । କୌଣସି ପ୍ରତିଷ୍ଠିତ ସଂଗଠନ ଚୀନ ସରକାରଙ୍କ ଦ୍ବାରା ଯେଭଳି ପ୍ରଭାବିତ ନହେବେ, ତାହା ନିଶ୍ଚିତ କରିବାକୁ ନବଦୀପ ସୁରୀ କହିଛନ୍ତି । ଆସନ୍ତୁ ପଢିବା ତାଙ୍କ ସହ ସାକ୍ଷାତକାର ।
ପ୍ରଶ୍ନ: ପ୍ରବାସୀ ଶ୍ରମିକମାନେ ଉପସାଗରୀୟ ଦେଶଗୁଡିକରେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ଏବେ ଏକ ମହାମାରୀ ପରିପ୍ରେକ୍ଷୀରେ ସେମାନେ କିଭଳି ମାନବୀୟ ସଂକଟର ସମ୍ମୁଖୀନ ହେବେ ?
ଉତ୍ତର: ସାଉଦି ଆରବ ହେଉ କି ୟୁଏଇ, ବିଭିନ୍ନ ଉପସାଗରୀୟ ଦେଶରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । ତେବେ, ସ୍ବାସ୍ଥ୍ୟ ସମସ୍ୟା ନେଇ ସେଠାରେ କୌଣସି ମାନବୀୟ ସଂକଟ ସୃଷ୍ଟି ହୋଇଥିବା ନେଇ ମୁଁ କୌଣସି ରିପୋର୍ଟ ପାଇନାହିଁ । କାଁ ଭାଁ ମାମଲା ଥାଇପାରେ । ଏବେ ତ ସେଠାକାର ସରକାରମାନେ କହୁଛନ୍ତି ଯେ, ସମସ୍ତଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ । ଚାକିରୀ ହରାଇଥିବା ଲୋକେ ଓ ଫସିଥିବା ଲୋକେ ନିଜ ନିଜ ଦେଶକୁ ଫେରିଯିବା ପାଇଁ ସରକାରମାନେ ଚାହାନ୍ତି । ଏହା ସ୍ବାଭାବିକ କଥା । ବର୍ତମାନ ବିଶ୍ବରେ ଆର୍ଥିକ ସଂକଟ ସହ ସ୍ବାସ୍ଥ୍ୟ ସଂକଟ ଦେଖାଦେଇଛି । ଉପସାଗର ବି ସେଥିରୁ ବାଦ୍ ପଡିନାହିଁ । ସବୁ ଦେଶ ନିଜ ନିଜ ଶୈଳୀରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ।
ପ୍ରଶ୍ନ: କେରଳ ମୁଖ୍ୟମନ୍ତ୍ରୀ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ନର୍ସ, କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମିକମାନେ ବହୁଳ ଭାବେ ସଂକ୍ରମିତ ହୋଇଥିବା ଖବର ମିଳିଛି । ଅଧିକାଂଶ ପ୍ରବାସୀ ଶସ୍ତା ଭାରତୀୟ ଔଷଧ ହିଁ ଜମା ରଖିଛନ୍ତି । ଏଭଳି ଉତ୍କଟ ଅଭାବର ମୁକାବିଲା କିଭଳି କରିପାରିବେ ଭାରତ ସରକାର ?
ଉତ୍ତର: ଏ ବାବଦରେ ଆମ ରାଷ୍ଟ୍ରଦୂତ ଓ କନସଲ ଜେନେରାଲଙ୍କ ସହ ସରକାର କଥା ହେବା ଦରକାର । ଉପସାଗରୀୟ ଦେଶଗୁଡିକରେ ଭାରତୀୟମାନଙ୍କ ବିଭିନ୍ନ ଗୋଷ୍ଠୀ ଓ ସଂଗଠନ ରହିଛି । ଦେଖିବାକୁ ଗଲେ, ଭାରତୀୟମାନେ ରହୁଥିବା ଦେଶଗୁଡିକର ସରକାର ଓ ନିଯୁକ୍ତିଦାତାମାନେ ହିଁ ପ୍ରବାସୀ ଭାରତୀୟଙ୍କୁ ସହାୟତା କରିବା ଦରକାର । ଏହା ସେମାନଙ୍କର ଦାୟିତ୍ବ । ପ୍ରବାସୀ ଭାରତୀୟଙ୍କୁ ସହାୟତା ପାଇଁ ଭାରତୀୟ ଦୂତାବାସଗୁଡିକ ବେଶ୍ ପରିଶ୍ରମ କରୁଛନ୍ତି ।
ପ୍ରଶ୍ନ: ନିଜର ନାଗରିକମାନଙ୍କୁ ଫେରାଇ ନେବା ପାଇଁ କୁଣ୍ଠା ପ୍ରକାଶ କରୁଥିବା ଦେଶଗୁଡିକ ଉପରେ କଡା କଟକଣା ଜାରି କରିବ ବୋଲି ୟୁଏଇ କହିଛି । ଏହା ଦ୍ୱିପାକ୍ଷିକ ସଂପର୍କକୁ କେତେ ଦୂର ପ୍ରଭାବିତ କରିବ ? ଭାରତ କେତେ ଦିନ ଯାଏଁ ନିଜର ନାଗରିକଙ୍କୁ ଫେରାଇ ନ ଆଣି ରହିଥିବ ?
ଉତ୍ତର: ୟୁଏଇ ସରକାର କେଉଁ ପ୍ରସଙ୍ଗରେ ଏହା କହିଲେ ଓ କିଭଳି କହିଲେ, ତାହା ଦୟାକରି ଅନୁଧ୍ୟାନ କରନ୍ତୁ । ଆମ ଦୂତାବାସ ସେ ଦେଶର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି । ଯଦି କିଛି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟେ, ତାହା ହେଲେ ଦିଲ୍ଲୀକୁ ତୁରନ୍ତ ଜଣାଇ ଦିଆଯିବ । ୟୁଏଇରେ ବୋଧହୁଏ କିଛି ଭାରତୀୟଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ସେଠାର ଫସି ରହିଛନ୍ତି । ଏମାନଙ୍କ ସଂଖ୍ୟା ବହୁତ କମ । ଏ ପ୍ରକାର ସ୍ବଳ୍ପ ଭାରତୀୟ ନାଗରିକ ଓ ଅନ୍ୟ ଭିସାଧାରୀ ଭାରତୀୟ ନାଗରିକଙ୍କ ମଧ୍ୟରେ ଫରକ ବୁଝିବା ଦରକାର । ଭିସା ଅବଧି ସରିଯାଇଥିବାରୁ ଫସି ରହିଥିବା ଭାରତୀୟଙ୍କ ସ୍ବଦେଶ ଫେରିବା କଥା କୁହାଯାଉଛି । ଏପରିକି କେରଳ ମୁଖ୍ୟମନ୍ତ୍ରୀ ଏହି ଭାରତୀୟଙ୍କ ସମସ୍ୟା କଥା ଉଠାଇଛନ୍ତି ।
ପ୍ରଶ୍ନ: ରିପୋର୍ଟ ମିଳିଛି ଯେ, ଅନେକ ଶ୍ରମିକଙ୍କୁ ଛଟେଇ କରାଯାଇଛି । ସେମାନଙ୍କୁ ବନ୍ଦୀ ସଦୃଶ ରଖାଯାଇଛି । ଗହଳିଆ ସାହିଗଳିରେ ଅନେକ ଫସିରହିଛନ୍ତି । ଏଭଳି ଅବସ୍ଥା କଣ ବିପଦଜନକ ନୁହେଁ କି ?
ଉତ୍ତର: ଉପସାଗରୀୟ ଅଞ୍ଚଳରେ ୯ ମିଲିୟନରୁ ଅଧିକ ଭାରତୀୟ ଅଛନ୍ତି । ଯାହା କି ଏକ ବିରାଟ ସହରର ଜନସଂଖ୍ୟା ସହ ସମାନ । ଏକ ସାଧାରଣ ବିମାନରେ ୧୮୦ ଯାତ୍ରୀ ହିଁ ଆସିପାରିବେ । ଏବେ ହିସାବ କରି ମୋତେ କୁହନ୍ତୁ ଲକ୍ଷ ଲକ୍ଷ ଲୋକଙ୍କୁ ଆଣିବା ପାଇଁ କେତେ ଉଡାଣ ଆବଶ୍ୟକ ? ସେମାନଙ୍କୁ କେଉଁଠିରେ କ୍ବାରେଣ୍ଟାଇନ ରଖାଯିବ ? ଆପଣ କଣ ନିଶ୍ଚିତ ଯେ, ଉପସାଗରୀୟ ଅଂଚଳର କୋରୋନା ଭାଇରସ ଜନିତ ସ୍ଥିତି ଭାରତର ସ୍ଥିତି ସହ ସମାନ କି ? ସ୍ଥାନାନ୍ତର କଥା କହିବା ପୂର୍ବରୁ କିଛି ପ୍ରସଙ୍ଗ ଉପରେ ଆମକୁ ଚିନ୍ତା କରିବାକୁ ପଡିବ । ବର୍ତ୍ତମାନ ସ୍ଥିତିରେ ଯିଏ ଯେଉଁଠି ଅଛି, ସେଠାରେ ହିଁ ରହିଥାନ୍ତୁ ବୋଲି ସରକାର ଯାହା କହିଛନ୍ତି , ଠିକ୍ କହିଛନ୍ତି । ବାହାର ଦେଶରେ କାମ କରୁଥିବା ବ ନିଜ ନାଗରିକଙ୍କ ଯତ୍ନ ନେବାରେ ଭାରତର ଟ୍ରାକ୍ ରେକର୍ଡ ଭଲ ରହିଛି । ୟୁଏଇରେ ଭାରତୀୟମାନଙ୍କ ଭଲ ନେଟଓ୍ବାର୍କ ରହିଛି । ହଁ, ଲୋକେ ଚାକିରୀ ହରାଇପାରନ୍ତି । କୋରୋନା ମହାମାରୀ ପୂର୍ବରୁ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିଲା । କର୍ମଚାରୀଙ୍କ ଛଟେଇ କ୍ଷେତ୍ରରେ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ଆମେ ଭଲ କାମ କରିଛୁ ।ଏପରିକି ଅଲଗା କାମ ଖୋଜିବା ପୂର୍ବରୁ ସେମାନଙ୍କ ରକ୍ଷଣବେକ୍ଷଣ କରାଯାଇଛି । ଭାରତର ଦୂତାବାସମାନେ ଏଥିପାଇଁ ସବ ର୍ଦା ତତ୍ପର । କିନ୍ତୁ ଆତଙ୍କର ବାତାବରଣ ସୃଷ୍ଟି କଲେ କାହାର କିଛି ଲାଭ ହେବ ନାହିଁ ।
ପ୍ରଶ୍ନ: ଲୋକେ ଜୀବିକା ହରାଉଛନ୍ତି ଓ ଚାକିରୀରୁ ଛଟେଇ ହେଉଛନ୍ତି । ଏହା ଦ୍ବାରା ଭାରତ ଜିସିସିରୁ ପାଉଥିବା ବିପୁଳ ଆର୍ଥିକ ଲାଭ କିଭଳି ପ୍ରଭାବିତ ହେବ ?
ଉତ୍ତର: ନିଶ୍ଚିତ ଭାବେ ପ୍ରଭାବ ପଡିବ । କେରଳ ଓ ଜିସିସି ମଧ୍ୟରେ ଗଭୀର ସଂପର୍କ ରହିଛି । କେବଳ କେରଳ ନୁହେଁ, ବିହାର, ୟୁପି, ତେଲେଙ୍ଗାନା ଓ ଅନ୍ୟ ରାଜ୍ୟର ଲୋକେ ବି ଉପସଗାରୀୟ ଦେଶରେ କାମ କରନ୍ତି । ଗତବର୍ଷ କେବଳ ୟୁଏଇରୁ ୧୭ ବିଲିଅନ ଆମେରିକୀୟ ଡଲାରର ଲାଭ ଆସିଥିଲା । ଉପସାଗରୀୟ ଅଂଚଳରୁ ଭାରତକୁ ପାଖାପାଖି ୫୦ ବିଲିଅନ ଡଲାରର ଲାଭ ହୋଇଥାଏ । ଯାହା କି ଭାରତର ଜିଡିପିର ମୋଟ ପ୍ରତିଶତ । ତେଣୁ ଲୋକେ ଜୀବିକା ହରାଇବାର ପ୍ରଭାବ ନିଶ୍ଚୟ ପଡିବ । ଜୀବିକା ହରାଇଥିବା ଲୋକେ ଭାରତ ଫେରିଆସିବାକୁ ଚାହିଁବେ । ତେବେ, ସେଠାକାର ପରିସ୍ଥିତି ଭାରତଠାରୁ ଭିନ୍ନ ନୁହେଁ । ଦିଲ୍ଲୀ ଓ ମୁମ୍ବାଇରେ ଶ୍ରମିକମାନେ ଜୀବିକା ଛାଡି ନିଜ ନିଜ ଘରକୁ ଫେରିବା ଆମେ ଦେଖିଲେ । ବିଶ୍ବରେ ଯେଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ନା, ଏହାର ଅର୍ଥନୈତିକ ପରିଣାମ ମଧ୍ୟ ଦେଖିବାକୁ ମିଳିଛି । ରିମିଟାନ୍ସ ଇକୋନୋମି ପ୍ରଭାବହୀନ ହୋଇପଡିଛି ।
ପ୍ରଶ୍ନ: ଆମେ କେତେକ ବହୁମୁଖୀ ପଦକ୍ଷେପ ଦେଖିଛେ । ସଂକଟରୁ ମୁକୁଳିବା ପାଇଁ ଜି-୨୦ ରାଷ୍ଟ୍ରସମୂହର ପ୍ରସ୍ତାବ ଉପରେ ଆପଣଙ୍କ ମତ କଣ ? ସେଗୁଡିକ କାଯ୍ୟ ର୍କାରୀ ହୋଇପାରିବ କି ?
ଉତ୍ତର:ବାସ୍ତବରେ ଯଦି କିଛି କରିବାକୁ ଅଛି,ତାହା ହେଲେ ଆହୁରି ଅନେକ ଉଦ୍ୟମ କରିବାକୁ ପଡିବ । ଏବେ କିଛିମାତ୍ରାରେ ଆନ୍ତର୍ଜାତିକ ସମନ୍ୱୟ ଦେଖାଦେଇଛି । କିନ୍ତୁ ପ୍ରକୃତରେ ଦେଶଗୁଡିକ ଜାତୀୟସ୍ତରରେ ହିଁ ଉଦ୍ୟମ କରୁଛନ୍ତି ।
ପ୍ରଶ୍ନ: କୋରୋନା ମହାମାରୀ ପ୍ରସଙ୍ଗରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୂମିକାକୁ ସମାଲୋଚନା କରାଯାଉଛି । ମହାମାରୀ ନେଇ ଚୀନର ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଉଭୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଚୀନ୍କୁ ଆନ୍ତର୍ଜାତିକ ସମୁଦାୟ ଉତରଦାୟୀ କରିପାରିବେ କି ? ଏ ବାବଦରେ ଆପଣଙ୍କ ମତ କଣ?
ଉତ୍ତର: ବର୍ତମାନର ସ୍ଥିତିରୁ ନିଃସନ୍ଦେହରେ ସ୍ପଷ୍ଟ ହେଉଛି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନେତୃତ୍ବ ଉପରେ ଅଖଣ୍ଡ ପ୍ରଭାବ ଜମାଇଥିଲା ଚୀନ୍ । କୋରୋନା ବାବଦରେ ଚୀନର କଥାକୁ ହିଁ ବିଶ୍ବାସ କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କିଛି ଗୋଟିଏ ସମସ୍ୟା ରହିଛି ବୋଲି ଚୀନ୍ ସରକାର ୨୦୧୯ ନଭେମ୍ବର ମାସରୁ ହିଁ ଜାଣିଥିଲେ । ମାନବ ସଂକ୍ରମଣ ନେଇ ଚୀନ ମିଡିଆରେ ଡିସେମ୍ବରରେ ହିଁ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଲା । କିନ୍ତୁ ଜାନୁଆରୀ ୧୨ ବେଳକୁ ଉଭୟ ଚୀନ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନବ ସଂକ୍ରମଣ ନେଇ କିଛି ସ୍ପଷ୍ଟ ହେଉନାହିଁ ବୋଲି ସଫେଇ ଦେଇଥିଲେ । ବିମାନ ଚଳାଚଳ ଜାରି ରହିଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ସଂଗଠନ । ଏହାର ଅନେକ ଦାୟିତ୍ବ ରହିଛି । କିନ୍ତୁ ଏହାର ନେତୃତ୍ବ ଯେଭଳି ଭାବେ ବ୍ୟବହାର କଲେ ନା, ସେ ନେଇ ଅନେକ ପ୍ରଶ୍ନ ଉଠିଛି । ଅନ୍ୟ ପ୍ରତିଷ୍ଠିତ ଆନ୍ତର୍ଜାତିକ ସଂଗଠନ ଉପରେ ବି ଚୀନ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ଜଣାପଡୁଛି । କିନ୍ତୁ ଏଭଳି ହେବା ଉଚିତ ନୁହେଁ ।
ପ୍ରଶ୍ନ: ଗଲ୍ଫରେ ଆପଣଙ୍କ କାଯ୍ୟର ଅଭିଜ୍ଞତା ଦୃଷ୍ଟିରୁ ଆପଣ କଣ ଭାବନ୍ତି ଯେ, କୋଭିଡ-୧୯ ଓ ଏହା ପରବର୍ତ୍ତୀ ସ୍ଥିତିରେ ହଜ୍ ଭଳି ତୀର୍ଥଯାତ୍ରାର ବଡ ଧରଣର ପ୍ରକ୍ରିୟାଗତ ପରିବର୍ତନ ହେବ ?
ଉତ୍ତର: ସାଉଦି ଆରବ, ଇଜିପ୍ଟ ଓ ୟୁଏଇ ଆରମ୍ଭରୁ ହିଁ ବେଶ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ଏପରିକି ସାଂପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଏସବୁ ଦେଶ ମସଜିଦରେ ଶୁକ୍ରବାର ପ୍ରାର୍ଥନା ପାଇଁ ବି ଅନୁମତି ଦେଇନାହାନ୍ତି । ଘରେ ରହି ପ୍ରାର୍ଥନା କର ବୋଲି ସେମାନେ ସ୍ଲୋଗାନ ଦେଇଛନ୍ତି । ଉମରାହ ହେଉ କି ହଜ୍ ବା ଅନ୍ୟ କୌଣସି ଧାର୍ମିକ ସମାବେଶ, ବର୍ତମାନ ପରିସ୍ଥିତି ଦୃଷ୍ଟିରୁ ଏସବୁକୁ ଅଲଗା ଭାବେ ଦେଖିବା ଜରୁରୀ । କିନ୍ତୁ ସାଉଦିର ଲୋକେ କହିବେ ଯେ, ଯୁଦ୍ଧ ସମୟରେ ବି ହଜ୍ ବନ୍ଦ ହୋଇନାହିଁ । ତେଣୁ ଏ ବର୍ଷ ହଜ୍ ହେବନି ବୋଲି ସାଉଦି ଆରବର ନିଷ୍ପତି ବେଶ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ହେବ ।
ପ୍ରଶ୍ନ: ଆଗାମୀ ଦିନରେ ସରକାର କେଉଁ ପ୍ରମୁଖ ଅର୍ଥନୈତିକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ?
ଉତ୍ତର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋଧନରେ ‘ଜୀବନ ସଂଗେ ଜୀବିକା ବି ରହୁ’ ବୋଲି କହିସାରିଛନ୍ତି । ଏପ୍ରିଲ ୨୦ ପରେ କିଛି ସନ୍ତୁଳନ ଫେରିଆସିବା ଆଶା କରାଯାଉଛି । ଲକଡାଉନ ସତ୍ତ୍ବେ କିଛି ଅଂଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇପାରେ । ଭାରତୀୟ ଅର୍ଥନୀତିର ସ୍ବାଭାବ ଓ ଦିନ ମଜୁରୀ ଉପରେ ଅଧିକାଂଶ ଲୋକଙ୍କ ନିର୍ଭରଶୀଳତା ଦୃଷ୍ଟିରୁ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ । ସପ୍ଲାଏ ଚେନ୍ କଟକଣା ଉଠାଇବାକୁ ପଡିବ । ସପ୍ଲାଏ ଚେନ୍ ପ୍ରସଙ୍ଗ ହିଁ ଭାରତୀୟ ଅର୍ଥନୀତି ପାଇଁ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ।