ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଲୋକ । ତେଣୁ କିଛି ରାଜ୍ୟ ଏହି ନିୟମରେ କିଛି ପରିବର୍ତ୍ତନ ଆଣି ନିୟମକୁ ଆଉ ଟିକେ କୋହଳ କରିବା ପାଇଁ ଯୋଜନା କରୁଛନ୍ତି । ଏହି କ୍ରମରେ ଗୁଜୁରାଟର ବିଜୟ ରୁପାଣି ସରକାର ଗତକାଲି ଜରିମାନା ହ୍ରାସ କରିବା ଘୋଷଣା କରିଥିଲେ । ତେବେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ । ମୋଟରଯାନ ସଂଶୋଧନ ଆଇନରେ କୌଣସି ରାଜ୍ୟ ମଧ୍ୟ ପରିବର୍ତ୍ତନ ଆଣିପାରିବେ ନାହିଁ ବୋଲି କହିଛନ୍ତି ସେ ।
ଗଡକରୀ କହିଛନ୍ତି, ମୁଁ ଏନେଇ ବିଭିନ୍ନ ରାଜ୍ୟ ସହ ଆଲୋଚନା କରିଛି । କୌଣସି ବି ରାଜ୍ୟ ଏହି ଆଇନ ଲାଗୁ ନକରିବାକୁ କହିନାହାନ୍ତି । କୌଣସି ବି ରାଜ୍ୟ ଏହି ନିୟମରୁ ବର୍ତ୍ତି ପାରିବ ନାହିଁ ।
ସୂଚନାଯୋଗ୍ୟ ଯେ, ଗୁଜୁରାଟ ସରକାର ଜରିମାନା ହ୍ରାସ କରିବା ପାଇଁ ମଙ୍ଗଳବାର ଘୋଷଣା କରିଥିଲେ । ବିଶେଷ କରି ଦୁଇ ଚକିଆ ଯାନ ଏବଂ ଚାଷ କାର୍ଯ୍ୟରେ ନିୟୋଜିତ ଯାନ ଗୁଡିକରେ ଜରିମାନା କୋହଳ କରାଯାଇଛି । ଟ୍ରାଫିକ ନିୟମ ଭାଙ୍ଗିଲେ ନୂଆ ମୋଟରଯାନ ଆଇନ ଅନୁସାରେ 10 ହଜାର ଟଙ୍କା ଦେବାକୁ ପଡୁଥିଲା । ଏହାକୁ ହ୍ରାସ କରି 1 ହଜାର ଟଙ୍କା କରିଛନ୍ତି ସରକାର । ସେହିପରି ବିନା ହେଲମେଟରେ ଯାତ୍ରା କରୁଥିବା ଲୋକଙ୍କୁ 1000 ଟଙ୍କା ଫାଇନ ଦେବାକୁ ପଡୁଥିବାବେଳେ ଏହାକୁ 500 ଟଙ୍କା ହ୍ରାସ କରାଯାଇଛି । ସିଟ୍ ବେଲ୍ଟ ପାଇଁ ଫାଇନକୁ 1000 ଟଙ୍କାରୁ କମାଇ 500 ଟଙ୍କା କରାଯାଇଛି । ସେହିପରି ନୂଆ ନିୟମକୁ ନେଇ ଜନ ଅସନ୍ତୋଷ ବଢିବାରୁ ଓଡିଶା ସରକାର ମଧ୍ୟ ନୂଆ ମୋଟର ଯାନ ଆଇନକୁ 3 ମାସ ପାଇଁ କୋହଳ କରିଛନ୍ତି ।