ହାଇଦ୍ରାବାଦ: ତେଲେଙ୍ଗାନାରେ ସ୍ଥିତି ସୁଧୁରିବାରେ ଲାଗିଛି । ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ଆକ୍ରାନ୍ତଙ୍କୁ ଏବେ ଚିକିତ୍ସିତ କରାଯାଉଛି । ଏବେ ରାଜ୍ୟରେ ଆଉ ଲକଡାଉନର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେନ୍ଦର କହିଛନ୍ତି ।
ସେ କହିଛନ୍ତି ଯେ ଏବେ ଦେଶବ୍ୟାପୀ ପ୍ରାୟ 10 ହଜାର ପାଖାପାଖି ଏବଂ ରାଜ୍ୟରେ 200 ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ 97 ପ୍ରତିଶତ ଲୋକ ସୁସ୍ଥ ହୋଇସାରିଛନ୍ତି । କେବଳ 3 ପ୍ରତିଶତ ଲୋକ ଯେଉଁମାନଙ୍କର ଅନ୍ୟ ରୋଗର ଲକ୍ଷଣ ଥିଲା ସେମାନେ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କୋରୋନାଜନିତ ମୃତ୍ୟୁ କମିଛି ଏବଂ କେବଳ ହାଇଦ୍ରାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଫଳରେ ବର୍ତ୍ତମାନ ସ୍ଥିତି ଦେଖିଲେ ତେଲେଙ୍ଗାନାରେ ଆଉ କୌଣସି ପ୍ରକାର ଲକଡାଉନର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ଏହାସହ ରାଜେନ୍ଦର କହିଛନ୍ତି ଯେ ରାଜ୍ୟ ସରକାର କୋରୋନା ଟେଷ୍ଟ ଏବଂ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଓ ଲାବ୍ରୋଟାରୀରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ସ୍ଥିର କରିଛନ୍ତି । ଲୋକେ ଯେପରି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାର ନିର୍ଦ୍ଦିଷ୍ଟ ତାଲିକା ପ୍ରକାଶ କରିଛନ୍ତି । କୋରୋନା ଟେଷ୍ଟ ପାଇଁ 2200 ଟଙ୍କା ଏବଂ ଗୋଟିଏ ଦିନର ଆଇସୋଲେସନ୍ ଚାର୍ଜ 4000 ଟଙ୍କା ରହିଛି । ବିନା ଭେଣ୍ଟିଲେଟରରେ ଗୋଟିଏ ଦିନର ଆଇସିୟୁ ପାଇଁ 7500 ଟଙ୍କା ଏବଂ ଭେଣ୍ଟିଲେଟର ସହ ଦିନ ପିଛା 9000 ଟଙ୍କା ସ୍ଥିର କରାଯାଇଛି ବୋଲି ରାଜେନ୍ଦର ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ସରକାର ଅଧିକ 54 ହଜାର ବେଡ୍ ଆୟୋଜନ କରିଥିବା ସେ କହିଛନ୍ତି ।