ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଆଗ୍ରା ରାଜରାସ୍ତାରୁ ଏକ ଫଟୋ ଭାଇରାଲ ହୋଇଛି । ଫଟୋରେ ଜଣେ ମହିଳା ନିଜ ଶିଶୁକୁ ଟ୍ରଲିବ୍ୟାଗରେ ଶୁଆଇ ଟାଣି ନେଉଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏହି ମାମଲାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ପଞ୍ଜାବ ଓ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛି । ଶୁକ୍ରବାର ଆୟୋଗ କହିଛି ଏହି ସମସ୍ୟାକୁ ନେଇ ଆମେ ପରିଚିତ ଓ ଲକଡାଉନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଗମ୍ଭୀରତାର ସହ ପ୍ରୟାସ କରୁଛନ୍ତି ।
ଆୟୋଗ କହିଛି,‘ ଆଶ୍ଚର୍ଯ୍ୟର କଥା ଶିଶୁ ଓ ତାର ପରିବାରର ସମସ୍ୟା ସ୍ଥାନୀୟ ପ୍ରଶାସନକୁ ଛାଡି ବାକି ସମସ୍ତେ ଅନୁଭବ କରିଛନ୍ତି ’। ଯଦି ସ୍ଥାନୀୟ ପ୍ରଶାସନ ସତର୍କ ହୋଇଥାନ୍ତେ ତେବେ ପରିବାରକୁ ଏପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡି ନଥାନ୍ତା ବୋଲି ଆୟୋଗ କହିଛି । ଏହି ଘଟଣା ମାନବାଧିକାର ଉଲଂଘନ ଓ ଏଥିରେ ଏନଏଚଆରସିର ହସ୍ତକ୍ଷେପ ଆବଶ୍ୟକ ।
ଏନଏଚଆରସି କହିଛି ଯେ ପଞ୍ଜାବ ଓ ଉତ୍ତରପ୍ରଦେଶ ସରକାର ସମେତ ଆଗ୍ରା ଜିଲ୍ଲାପାଳଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଲକଡାଉନ୍ କାରଣରୁ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଛନ୍ତି । ଏମଧ୍ୟରେ ଶ୍ରମିକଙ୍କ ଅନେକ ଚିତ୍ର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।