ହିଙ୍ଗୋଲି: ଛତୁ ଫୁଟିବା ପରି ଖୋଲିବାରେ ଲାଗିଛି ମୋବାଇଲ କମ୍ପାନୀ। ବିନା ସୁବିଧା ସୁଯୋଗ ଓ ଟାୱାର ନବସାଇ କମ୍ପାନୀ ବୃଦ୍ଧିରେ କୌଣସି ଲଗାମ ଲାଗୁନି। ତେବେ ନେଟୱର୍କ ଅସୁବିଧା ପାଇଁ ଟାକୋଡା ହିଙ୍ଗୋଲି ଜିଲ୍ଲାର ମୋବାଇଲ ଉପୋଭୋକ୍ତା ଗଛ ଚଢି ଏକ ନିଆର ବିରୋଧ ପ୍ରଦର୍ଶନ କରିବା ସହ କମ୍ପାନୀମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି।
ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ମୋବାଇଲ ବର୍ତ୍ତମାନ ସମୟରେ ଲୋକଙ୍କ ମୌଳିକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ସ୍ଲିମ ସେଟ ଓ ବିଭିନ୍ନ ନୂଆ ଫିଚର ଦ୍ବାରା ଆକର୍ଷିତ ହୋଇ ସମସ୍ତଙ୍କ ହାତରେ ରହୁଛି ଦାମିକିଆ ସ୍ମାର୍ଟଫୋନ।
ହେଲେ ଟାକୋଡା ପଞ୍ଚାୟତର ବାସିନ୍ଦା ଟାୱାର ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଜର ପ୍ରିୟଜନଙ୍କ ସହ କଥା ହେବାକୁ ଚାହୁଁଥିଲେ ପ୍ରଥମେ ଏକ ଗଛ ଖୋଜିବାକୁ ପଡିବ। ଗଛ ବଡ ହୋଇଥିଲେ ଏହା ଉପରେ ଛିଡା ହୋଇ ଜଣକ ପରେ ଜଣେ କଥା ହୋଇଥାନ୍ତି। ସତେ ଯେମିତି ଗଛ ପାଖରେ ମେଲଣ ଲାଗିଛି।
ଦୁର୍ଘଟଣା ହେଲେ 108 ଆମ୍ବୁଲାନ୍ସକୁ ଡାକିବା ବା ଗର୍ଭବତୀ ମହିଳାଙ୍କୁ 102 ଆମ୍ବୁଲାନ୍ସରେ ନେବାକୁ ହେଲେ ଫୋନ ଯୋଗେ ଯୋଗାଯୋଗ ସ୍ଥାପନ କରିବା ସମ୍ଭବ ହୋଇପାରୁ ନାହିଁ। ଏହିପରି ବିଭିନ୍ନ ଅସୁବିଧା ପାଇଁ ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଯେମିତି କୋମା ଯିବା ପରି ମନେ ହେଉଛି। ଏନେଇ ଗାଁର ଯୁବକ ମାନେ ଗଛରେ ଛିଡା ହୋଇ ଟାୱାର ବସାଇବା ପାଇଁ ଅଭିନବ ପ୍ରତିବାଦ କରିଛନ୍ତି।