ଚେନ୍ନାଇ: କ୍ରୋଧ ମଣିଷକୁ ରାକ୍ଷସ କରିଦିଏ । ଆଉ ଏହାର ବଶବର୍ତ୍ତୀ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଗୋଟେ ନିରୀହ ଜୀବନ ମଧ୍ୟ ନେବାକୁ ପଛାଏନାହିଁ । ଏଭଳି ଏକ ଦୁଃଖଦ ଘଟଣା ଆସିଛି ତାମିଲନାଡୁର ଟୁଟିକୋରିନ ଜିଲ୍ଲାରୁ । ଯେଉଁଠି ଜଣେ 8ବର୍ଷର ଶିଶୁକୁ ଗଳା ଚିପି ହତ୍ୟା କରିଛି ପଡୋଶୀ ।
ଶିଶୁଟି ନିଜ ମା' ସହ ଟୁଟିକୋରିନରେ ରୁହନ୍ତି । ବୁଧବାର ମା' କାମକୁ ଯାଇଥିବାବେଳେ ଘରେ ଟିଭି ନଥିବାରୁ ସେ ନିଜ ପଡୋଶୀଙ୍କ ଘରକୁ ଯାଇ ଟିଭି ଲଗାଇବାକୁ କହିଥିଲା । ସେତେବେଳେ ଅଭିଯୁକ୍ତ ପଡୋଶୀ ଜଣକ ନିଜ ବାପାଙ୍କ ସହ କୌଣସି ଏକ କଥାକୁ ନେଇ ଝଗଡା କରୁଥିଲେ ।
ସେହି ସମୟରେ ଝିଅଟି ମୁହଁରୁ ଟିଭି ଅନ କରିବା ଶୁଣି ପଡୋଶୀର ରାଗ ମୁଣ୍ଡକୁ ଚଢିଯାଇଥିଲା । ଆଉ ଏଥିରେ ଅଭିଯୁକ୍ତ ପଡୋଶୀ ଜଣକ ରାଗିଯାଇ ଝିଅର ଗଳା ଚିପି ଦେଇ ହତ୍ୟା କରିଛି । କେବଳ ଏତିକି ନୁହେଁ, କୁନି ଝିଅକୁ ହତ୍ୟା କରିବା ପରେ ଏକ ଡ୍ରମ ଭିତରେ ଭର୍ତ୍ତି କରି ଢାଙ୍କୁଣୀ ଲଗାଇ ଏକ କେନାଲରେ ଫିଙ୍ଗି ଦେଇଥିଲା ।
ଏହାପରେ ନିଜ ବନ୍ଧୁ ସହାୟତାରେ ଡ୍ରମଟିକୁ ନେଇ ପୋଲ ଉପରୁ କେନାଲକୁ ଫିଙ୍ଗୁଥିବାବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡ୍ରମଟିକୁ ଜବତ କରିଛି । ଏହାସହ ଅଭିଯୁକ୍ତ ପଡୋଶୀ ଏବଂ ତାର ସହଯୋଗୀ ବନ୍ଧୁକୁ ଗିରଫ କରିଥିବା ଜଣାପଡିଛି । ଏବେ ପୋଲିସ ମୃତ ଝିଅର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ଏବେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ରିପୋର୍ଟ ଆସିବା ପରେ ଜଣାପଡିବ ଝିଅ ସହ କିଛି ଯୌନ ଉତ୍ପୀଡନ ହୋଇଛି କି ନାହିଁ ।