ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ବିକଶିତ ହାଲୁକା ଲଢୁଆ ବିମାନ ତେଜସ୍ ଏଲ୍ସିଏର ନାଭାଲ ମଡେଲ୍କୁ ଦେଶର ସର୍ବବୃହତ୍ତ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ସଫଳତାପୂର୍ବକ ଆରେଷ୍ଟେଡ୍ ଲ୍ୟାଣ୍ଡିଂ କରାଯାଇଛି । ଏହି ବିମାନକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ବିକଶିତ କରାଯାଇଛି । ଏହା ଖୁବ ଶୀଘ୍ର ବିକ୍ରମାଦିତ୍ୟରୁ ପ୍ରଥମ ଉଡାଣ ଭରିବ ।
ତେବେ ଏହାର ସଫଳ ଲ୍ୟାଣ୍ଡିଂକୁ ନେଇ ଖୁସି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଥିପାଇଁ ସେ ନୌସେନା ଏବଂ ଡିଆରଡିଓ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏଲ୍ସିଏକୁ ସକାଳ 10ଟା ସମୟରେ ଲ୍ୟାଣ୍ଡିଂ କରାଯାଇଥିଲା । ଏହାକୁ କମୋଡର ଜୟଦ୍ବୀପ ମାଓଲଙ୍କର ଆଇଏନ୍ଏସ୍ ବିକ୍ରମାଦିତ୍ୟର ସୀମିତ ରନଓ୍ବେରେ ସଫଳତାର ସହ ଅବତରଣ କରାଇଥିଲେ । ତେଜସର ସଫଳ ଆରେଷ୍ଟେଡ୍ ଲ୍ୟାଣ୍ଡିଂ କରି ଭାରତୀୟ ନୌସେନା ଇତିହାସ ରଚିଛି । ଏହି ସଫଳ ଲ୍ୟାଣ୍ଡିଂ ପରେ ଋଷ, ଆମେରିକା, ଫ୍ରାନ୍ସ, ବ୍ରିଟେନ ଏବଂ ଚୀନ ପରେ ଭାରତ ବିମାନ ବାହକ ପୋତରେ ଆରେଷ୍ଟେଡ୍ ଲ୍ୟାଣ୍ଡିଂ କରାଇଥିବା ଅଷ୍ଟମ ଦେଶ ପାଲଟିଛି ।
‘ଏଲ୍ସିଏ’ର ନାଭାଲ ଭର୍ସନକୁ ଗତ ସେପ୍ଟେମ୍ବର ମାସରେ ଗୋଆ ସାଗରକୂଳସ୍ଥିତ ଏକ ପରୀକ୍ଷଣ ପ୍ରତିଷ୍ଠାନରେ ସଫଳତାର ସହ ଅବତରଣ କରାଯାଇଥିଲା । ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି ନୌସେନା ସହ ମିଶି ଏହି ବିମାନକୁ ବିକଶିତ କରୁଛି ।