ଯେ କୌଣସି ଦଳ କ୍ଷମତାରେ ଥାଉ ନା କାହିଁକି, ଦେଶରେ ଯେମିତି ଏକ ନିର୍ଦ୍ଦିଷ୍ଟ ବୈଦେଶିକ ନୀତି. ପ୍ରତିରକ୍ଷା ନୀତି ଇତ୍ୟାଦି ରହିଛି.. ଠିକ୍ ସେହିପରି ନିର୍ଦ୍ଦିଷ୍ଟ ଶିକ୍ଷା ନୀତି ମଧ୍ୟ ରହିବା କଥା ବୋଲି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ବେଶ୍ ପ୍ରଶଂସନୀୟ ଏବଂ ସ୍ବାଗତଯୋଗ୍ୟ । ରାଷ୍ଟ୍ର ନିର୍ମାଣର ଆଧାର ଉପରେ ଗଠିତ ଏକ ଦୃଢ଼ ଏବଂ ନିରନ୍ତର ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁଁ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତକୁ ବହୁତ କିଛି ହରାଇବାକୁ ପଡ଼ିଛି ।
ଛାତ୍ରଛାତ୍ରୀମାନଙ୍କୁ ବହିବସ୍ତାନିର ବୋଝ ଏବଂ ପରୀକ୍ଷାର ଅତ୍ୟଧିକ ମାନସିକ ଚାପରୁ ମୁକ୍ତି ଦେବା ସହିତସେମାନଙ୍କ ଅନ୍ତରରେ ସୃଜନଶୀଳତାର ବିକାଶ ଏବଂ ପାଠପଢ଼ା ପ୍ରତି ସେମାନଙ୍କର ଇଚ୍ଛାପୂର୍ଣ୍ଣ ଆଗ୍ରହ ଜନ୍ମାଇବା ଲକ୍ଷ୍ୟରେ ଏକ ନୂତନ ଜାତୀୟ ଶିକ୍ଷା ନୀତି ପ୍ରଣୀତ ହେବା ଦିନରୁ ହିଁ ମୋଦିଙ୍କ ସରକାର ଏକ ବିସ୍ତୃତ ବିତର୍କର କେନ୍ଦ୍ରବିନ୍ଦୁରେ ରହିଆସିଛି । ଦେଶରେ ଅନ୍ୟ କୌଣସି ରାଜ୍ୟ ଏହି ନୀତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ତାଙ୍କ ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି କହିଥିବା ବେଳେ ତାମିଲନାଡୁ ଏବଂ ପଶ୍ଚିମ ବଙ୍ଗ ଏହି ନୀତି ପ୍ରସ୍ତୁତି ସଂପର୍କରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶିକ୍ଷାଦାନକୁ ଏକ ସାର୍ବଜନୀନ ସେବା ରୂପରେ ବର୍ଣ୍ଣନା କରୁଥିବା କେନ୍ଦ୍ର ସରକାର କାହିଁକି ଏହି ପ୍ରସ୍ତାବିତ ନୀତି ସମୂହରେ ଶିକ୍ଷାର ବ୍ୟବସାୟୀକରଣକୁ ନିୟନ୍ତ୍ରଣ କରିବା ବିଷୟରେ କିଛି କହିନାହାନ୍ତି ବୋଲି ଅନେକ ଦିଗରୁ ଆପତ୍ତି ଉଠିଛି ।
ସାମୂହିକ କାର୍ଯ୍ୟକ୍ରମର ବାଞ୍ଛନୀୟତା, ପର୍ଯ୍ୟାପ୍ତ ବ୍ୟୟବରାଦ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ସମୁଚିତ ଗୁରୁତ୍ବାରୋପ ସଂପର୍କରେ ମଧ୍ୟ ସମାଲୋଚନା କରାଯାଇଛି ଏବଂ ପ୍ରସ୍ତାବ ଦିଆଯାଇଛି । ଏହା ସ୍ବାଭାବିକ କଥା ଯେ, ଯେତେବେଳେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୃହତ୍ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଏ, ତାହାର ବିରୋଧ କରାଯାଇଥାଏ । ଅନୁରୂପ ଭାବେ, ସବୁ ସନ୍ଦେହ ଓ ସଂଶୟ ବିମୋଚନ କରି ଏବଂ ସମସ୍ତଙ୍କୁ ସମ୍ମିଳିତ ଭାବେ ଏକତ୍ର କରିବା ଏବଂ ସାଙ୍ଗରେ ନେଇ ଆଗକୁ ଆଗେଇବା ମଧ୍ୟ ଗୁରୁତ୍ବ ବହନ କରେ । ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରୀ ହସ୍ତକ୍ଷେପକୁ ସର୍ବନିମ୍ନ ସ୍ତରରେ ରଖାଯିବ ବୋଲି ପ୍ରଧାନ ମନ୍ତ୍ରୀ ଲୋକଙ୍କୁ ଦେଇଥିବା ଆଶ୍ବାସନାକୁ ସ୍ବାଗତ କରାଯିବା ଉଚିତ ।
ଏକ ସୁଦୃଢ଼ ଶିକ୍ଷା ପଦ୍ଧତି ବଳରେ ମାନବ ସମ୍ବଳ ସମୃଦ୍ଧ ହେବ] ଏବଂ ରାଷ୍ଟ୍ର ଗଠନ କାର୍ଯ୍ୟକ୍ରମରେ ଏହାର ସର୍ବାଧିକ ଯୋଗଦାନ ପରିଲକ୍ଷିତ ହେବ । ଆଉ ସେହି ସ୍ବପ୍ନ ଯଦି ବାସ୍ତବ ରୂପ ନିଏ ତେବେ ଏହି ଶିକ୍ଷାନୀତିର ଅନୁଶୀଳନ ସାର୍ଥକ ହେବ । ଯେଉଁ ଶିକ୍ଷା ସମୟୋପଯୋଗୀ ନୁହେଁ ଏବଂ ଦିନକୁ ଦିନ ବଢୁଥିବା ସଂକଟର ମୁକାବିଲା କରିବାରେ ଅକ୍ଷମ, ସେଇ ସବୁ ଡିଗ୍ରୀ, ଯାହା ଏକ ସରସ ଜୀବନର ଆଶ୍ବାସନା ଦେଇପାରେ ନାହିଁ... ଏସବୁ ହିଁ ବର୍ତ୍ତମାନ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଅବସ୍ଥାକୁ ସୂଚାଇ ଦିଏ ଏବଂ ଏହି ବ୍ୟବସ୍ଥା ଏବେ ସ୍ଥାଣୁ ଅବସ୍ଥାରେ ରହିଛି । ଶିକ୍ଷା ଯେତେ ଅଧିକ ହେବ, ନିଯୁକ୍ତି ସମ୍ଭାବନା ସେତିକି କମ୍ ହେବ ବୋଲି ରହିଥିବା ଆଶଙ୍କା ବର୍ତ୍ତମାନର ସ୍ଥିତିକୁ ବିପର୍ଯ୍ୟସ୍ତ କରିଦେଇଥିବା ଫଳରେ ମାନବ ସମ୍ବଳର ସଂପୂର୍ଣ୍ଣ ଦୁରୁପଯୋଗ ସାର ହେଉଛି ।
ଚାରି ବର୍ଷ ତଳେ ମିଳିତ ଜାତିସଂଘରର ଶିକ୍ଷା, ବିଜ୍ଞାନ ଏବଂ ସଂସ୍କୃତି ସଂଗଠନ ‘ୟୁନେସ୍କୋ’ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ସ୍କୁଲ ଶିକ୍ଷାର ପ୍ରଚଳିତ ମାନ ବିଚାରକୁ ନେଲେ ଭାରତ 50 ବର୍ଷ ପଛରେ ପଡ଼ିଛି । ‘ଗୁଣମାନ ସଂପନ୍ନ ଶିକ୍ଷା ଛାତ୍ରଛାତ୍ରୀଙ୍କର ଅଧିକାର’ ବୋଲି ନୂତନ ଶିକ୍ଷାନୀତିରେ ପୁନରାବୃତ୍ତି କରାଯାଇଛି । ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଗଠନ ସକାଶେ, ଶିକ୍ଷାଦାନରେ ଅଧୋଗାମୀ ଗୁଣମାନର ଉନ୍ନତି, ଶିକ୍ଷାକମାନଙ୍କ ସାମର୍ଥ୍ୟର ବିକାଶ ଏବଂ ମାତୃଭାଷାରେ ଶିକ୍ଷାଦାନ ଆରମ୍ଭ କରିବା ଦିଗରେ ସରକାରଙ୍କ ଆଗ୍ରହ ପ୍ରଶଂସନୀୟ ।
ବେସରକାରୀ ଶିକ୍ଷକମାନଙ୍କ ପାଇଁ ଶିକ୍ଷକମାନଙ୍କ ଯୋଗ୍ୟତା ପରୀକ୍ଷଣ ‘TET’କୁ ଅପରିହାର୍ଯ୍ୟ କରିବା ସହିତ ଏହାକୁ 100% ଲାଗୁ କରାଯାଇପାରିଲେ, ଏହା ହିଁ ହେବ ପ୍ରଥମ ସଫଳତା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କହିବା ଅନୁସାରେ, ପିଲାମାନଙ୍କର ମନସ୍ତାତ୍ତ୍ବିକ ବିକାଶରେ ମାତୃଭାଷାରେ ଶିକ୍ଷାଦାନ ସହାୟକ ହୋଇଥାଏ । ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ବଳରେ ଏକ ଦୃଢ଼ ଆଧାର ଗଠିତ ହେବ ବୋଲି ପ୍ରଧାନ ମନ୍ତ୍ରୀ ମଧ୍ୟ ମତ ଦିଅନ୍ତି । ମାତୃଭାଷାରେ ଶିକ୍ଷାଦାନ ବଳରେ ପ୍ରାକୃତିକ ଚିନ୍ତନ ପ୍ରକ୍ରିୟାର ବିକାଶ ଘଟେ । ଆମର ସମୃଦ୍ଧ ସଂସ୍କୃତି, ସାହିତ୍ୟ ଓ ଐତିହ୍ୟରେ ଅନେକ ସୁଦୃଢ଼ ବ୍ୟକ୍ତିତ୍ବ, ଚରିତ୍ର ଓ ନୀତିଶାସ୍ତ୍ର ଜଡ଼ିତ ରହିଥିବା ବେଳେ ଏକ ଶକ୍ତିଶାଳୀ ରାଷ୍ଟ୍ରଗଠନର ଧାରା ନିହିତ । ନୀତିଗଠନ ସଂପର୍କିତ ବିବୃତି ଗୋଟିଏ କଥା, କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଇବାରେ ସଫଳତା ଅନ୍ୟ ଏକ କଥା । କୌଣସି ଭିନ୍ନମତ କିମ୍ବା ବିରୋଧାଭାସ ବିନା ମାତୃଭାଷାରେ ଶିକ୍ଷାଦାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବା ଲାଗି ସବୁ ରାଜ୍ୟ ସମ୍ମିଳିତ ଉଦ୍ୟମ କରିବା ଦିଗରେ କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ରହିବା ଉଚିତ ।
ସାରା ଦେଶରେ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ସଂସ୍କାରଧର୍ମୀ ମନୋଭାବର ଧାରା ପ୍ରବାହିତ ହେଉଥିବା ସମୟରେ ନିଯୁକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ଆଇନଗତ କଟକଣା ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବା ଆବଶ୍ୟକ । ଡିଜିଟାଲ ଶିକ୍ଷାଦାନର ବିକାଶ କ୍ଷେତ୍ରରେ ସକ୍ରିୟ ସହଯୋଗ ସହିତ ଆର୍ଥିକ ବୋଝରୁ ରାଜ୍ୟମାନଙ୍କୁ ମୁକ୍ତ କରିବାରେ ସହାୟତା ପ୍ରଦାନ କରି କେନ୍ଦ୍ର ସରକାର ଏ କ୍ଷେତ୍ରରେ ପଶ୍ଚାଦ୍ଗାମୀ ହେବେ ନାହିଁ ବୋଲି ପ୍ରମାଣିତ କରିବା ଉଚିତ । ପୂର୍ବବର୍ତ୍ତୀ କେତେକ ଅନୁଧ୍ୟାନରୁ ଜଣାଯାଇଛି ଯେ ନିଯୁକ୍ତି ନିମନ୍ତେ ଆବଶ୍ୟକ ଉପଯୁକ୍ତ କୌଶଳ ହାସଲ ଅଭାବରୁ 2030 ମସିହା ସୁଦ୍ଧା ଯେଉଁ 90 କୋଟି ଯୁବକଯୁବତୀ ସମସ୍ୟାର ସମ୍ମୁଖୀନ ହେବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ହୋଇଥିବେ । ଏଭଳି ଆଶଙ୍କାକୁ ଦୂରୀଭୂତ କରିବା ପାଇଁ ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଜୀବନ ଓ ଜୀବିକା ଅର୍ଜନ କ୍ଷେତ୍ରରେ ଥିବା ସମସ୍ତ ସମ୍ଭାବ୍ୟ ସଂକଟର ମୁକାବିଲା ଲାଗି ନୂତନ ଶିକ୍ଷାନୀତି ସମର୍ଥ କରାଇବ ।