ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଅର୍ଥାତ ମେ 30 ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନରେ ଶପଥ ନେବେ । ଏହି କାର୍ଯ୍ୟକ୍ରମରେ ଦେଶ-ବିଦେଶର ହଜାର ହଜାର ଅତିଥି ସାମିଲ ହେବେ । ଆଉ ଏହି ଅତିଥିଙ୍କ ପାଇଁ ଖାଦ୍ୟ-ପାନୀୟର ବିଶେଷ ବ୍ୟବସ୍ଥା କରାଯାଇଛି । ତେବେ ଏହି ଖାଦ୍ୟମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଡାଲି ମଧ୍ୟ ଅନ୍ୟତମ । ଯାହା ପ୍ରସ୍ତୁତ କରିବାକୁ ପ୍ରାୟ 48 ଘଣ୍ଟା ସମୟ ଲାଗେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନରେନ୍ଦ୍ର ମୋଦିଙ୍କୁ ଶପଥ ପାଠ କରାଇବେ । ଶପଥ ଗ୍ରହଣ ଉତ୍ସବରେ ଆସିଥିବା ଅତିଥିଙ୍କ ପାଇଁ ଆମିଷ-ନିରାମିଶ ଉଭୟ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଖାଦ୍ୟମାନଙ୍କ ମଧ୍ୟରୁ ସ୍ବତନ୍ତ୍ର ଖାଦ୍ୟ ହେଉଛି ରାଇସିନା ଡାଲି । ଉକ୍ତ ଡାଲି ମଙ୍ଗଳବାର ରାତିଠାରୁ ପ୍ରସ୍ତୁତ କରାଯାଉଛି । ଆଉ ଏବେ ଏହା ପ୍ରସ୍ତୁତିର ଶେଷ ପର୍ଯ୍ୟାୟକୁ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ହେବାକୁ ଯାଉଛି । ଏହି ସ୍ଥାନଟି ରାଷ୍ଟ୍ରପତିଙ୍କ ଗାର୍ଡ ଅଫ୍ ଅନରରେ ବ୍ୟବହାର କରାଯାଏ । ଏହା 4ର୍ଥ ସୁଯୋଗ ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହ ହେବାକୁ ଯାଉଛି । ସୂଚନା ଅନୁସାରେ ଚନ୍ଦ୍ରଶେଖର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯିଏ କି 1990 ମସିହାରେ ଫୋରକୋର୍ଟରେ ଶପଥ ନେଇଥିଲେ । ଏହାପରେ 1998 ମସିହାରେ ବାଜପେୟୀ, 2014ରେ ନରେନ୍ଦ୍ର ମୋଦି ଏବଂ 2019ରେ ମଧ୍ୟ ନରେନ୍ଦ୍ର ମୋଦି ଏହି ସ୍ଥାନକୁ ଯାଇ ଶପଥ ଗ୍ରହଣ କରିବେ ।