ଭୋପାଳ: ସାରା ଦେଶ ଲକଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ମହାମାରୀ କୋରୋନା ଭୂତାଣୁ ଆତଙ୍କ ଆପଣାମାନଙ୍କୁ ଦୂରେଇ ଦେଉଥିବାବେଳେ ମଧ୍ୟପ୍ରଦେଶର ସୋଏନୀରେ କିନ୍ତୁ ଏହା ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ଏଠାରେ ଜଣେ ହିନ୍ଦୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ମଧ୍ୟପ୍ରଦେଶ ସେଓନି ଜିଲ୍ଲାର ।
ସେଓନିର ଭଗତ ସିଙ୍ଗ ୱାର୍ଡରେ ତାଙ୍କ ଦୁଇ ଝିଅଙ୍କ ସହ ରହୁଥିବା 74 ବର୍ଷିୟ ଜଣେ ବୃଦ୍ଧାଙ୍କ ଅସୁସ୍ଥତା ହେତୁ ସେଓନି ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ହେଲେ ବୃଦ୍ଧ ମହିଳାଙ୍କ ଘରେ କେହି ପୁରୁଷଙ୍କ ଅନୁପସ୍ଥିତି ହେତୁ ତାଙ୍କ ମୃତଦେହ ଡାକ୍ତରଖାନାରେ ଅନେକ ଘଣ୍ଟା ଧରି ପଡ଼ି ରହିଥିଲା । ଯେତେବେଳେ ଏହା ଆଖପାଖରେ ରହୁଥିବା ମୁସଲମାନ ଯୁବକମାନଙ୍କ ସାମ୍ନାକୁ ଆସିଲା, ସେତେବେଳେ ସେମାନେ ସେଓନି ମୁସଲିମ ୟୁନାଇଟେଡ୍ ଫ୍ରଣ୍ଟକୁ ସୂଚନା ଦେଇଥିଲେ ।
ଏହି ସଂଗଠନର ସଦସ୍ୟଙ୍କ ନିକଟରେ ଖବର ଆସିବା ମାତ୍ରେ ଏହାର କିଛି ସଦସ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ କିଛି ସଦସ୍ୟ ସେଓନିର ଶ୍ମସାନରେ ପହଞ୍ଚି ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହିପରି ଭାବରେ ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରିଥିଲେ ମୁସଲମାନ ଭାଇମାନେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ