ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି। ଘଟଣାପରେ ଚୀନ ସାମଗ୍ରୀ ବର୍ଜନ କରିବାକୁ ଦେଶର ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ବାନ କରାଯାଉଛି । ତେବେ ଇତି ମଧ୍ୟରେ 5 ମୌଲବୀଙ୍କ ନେତୃତ୍ବାଧୀନ ମୁସଲିମ ସଂଗଠନ ଅଲ ଇଣ୍ଡିଆ ତଞ୍ଜିମ ଉଲମା ଏ ଇସ୍ଲାମ ଦେଶରେ ଚୀନ ଉତ୍ପାଦନକୁ ବର୍ଜନ କରିବା ପାଇଁ ଫତୱା ଜାରି କରିଛି ।
ଏହି ସଂଗଠନର ସଦସ୍ୟଙ୍କୁ ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ସେନା ଏବଂ ସରକାରଙ୍କ ସପକ୍ଷରେ ରହିବା ଉଚିତ ବୋଲି ସଂଗଠନର ଜଣେ ମୌଲବୀ କହିଛନ୍ତି । ଏହି ସଂଗଠନର ରାଷ୍ଟ୍ରୀୟ ମହାସଚିବ ମୌଲାନା ଶାହାବୁଦ୍ଦୀନ ରିଜୱୀ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ମୁହାଁମୁହିଁ ପରିସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଥିସହ ସେ କହିଛନ୍ତି, ଚୀନ ଉତ୍ପାଦକୁ ବର୍ଜନ କରିବା ପାଇଁ ଆମେ ଏକ ଫତୱା ଜାରି କରିଛୁ । ଏହି ଫତୱାରେ ଭାରତୀୟ ଭୂମି ଉପରେ ଆକ୍ରମଣ ଏବଂ ବୀର ସୈନିକଙ୍କ ହତ୍ୟା ପାଇଁ ଚୀନର ଷଡଯନ୍ତ୍ରକୁ ନିନ୍ଦା କରାଯାଇଛି ।