ମୁମ୍ବାଇ: କୋରୋନା ମହାମାରୀ ସବୁ ଲୋକଙ୍କ ଜୀବନରେ ପ୍ରଭାବ ପକାଇଛି । ଏହି ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏହି ମହାମାରୀର କିଭଳି ଫାଇଦା ଉଠାଇଛନ୍ତି ତାହାର ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ନଭି ଅଞ୍ଚଳରେ ।
ତେବେ ଘଟଣାଟି କିଛି ଏପରି...
ମୁମ୍ବାଇର ନଭି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ରହୁଥିଲେ । ଗତ ଜୁଲାଇ 24 ତାରିଖରେ 28 ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ କୋରୋନା ଆକ୍ରାନ୍ତ ଥିବା ସହ ସେ ମରିବାକୁ ଯାଉଥିବା ନିଜ ପତ୍ନୀଙ୍କୁ କହିଥିଲେ ।
ଏହାପରେ ସେ ନିଜ ଫୋନ ସ୍ବିଚ ଅଫ୍ କରି ସେବେ ଠାରୁ ନିଖୋଜ ଥିଲେ । ହଠାତ୍ ତାଙ୍କ ବାଇକକୁ ଏକ ରୋଡ ନିକଟରୁ ତାଙ୍କ ଶଳା ପାଇଥିଲେ । ଏହାପରେ ତାଙ୍କ ପରିବାର ଲୋକ ଥାନାରେ ସେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୋଲିସ ବ୍ୟକ୍ତି ଜଣଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତାଙ୍କ ପତ୍ନୀଙ୍କ ଠାରୁ କୋରୋନା ଥିବା ଜାଣି ପୋଲିସ ସମସ୍ତ କୋଭିଡ ସେଣ୍ଟରରେ ଖୋଜାଖୋଜି କରିଥିଲେ ।
ଶେଷରେ ଗତ ସପ୍ତାହରେ ତାଙ୍କ ଫୋନ ଇନ୍ଦୋର ପାଖରେ ଟ୍ରେସ କରାଯାଇଥିଲା । ଯେଉଁଠାରେ ସେ ଏକ ନକଲି ନାମରେ ଭଡାରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲେ । ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟକର ଏବଂ ଲଜ୍ୟାକର କଥା ଏହା ଯେ, ଏହି ବ୍ୟକ୍ତି ଜଣଙ୍କ ନିଜ ପତ୍ନୀଙ୍କୁ କୋରୋନାର ଆଳ ଦେଖାଇ ପରକୀୟା ପ୍ରୀତି ଚଲାଇଥିଲେ । ତେବେ ସେ ନିଜ ସ୍ତ୍ରୀଙ୍କୁ କୋରୋନା ହୋଇଥିବା ନେଇ ମିଛ କହି ଇନ୍ଦୋରରେ ତାଙ୍କ ପ୍ରେମିକାଙ୍କ ସହ ରହୁଥିଲେ ।