ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ୍- ଉଦ୍- ଦାଓ୍ଵା ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ ସଇଦକୁ ପାକିସ୍ତାନର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହିତ ହାଫିଜ ସହ ଜଡିତ ମାମଲାକୁ ଲାହୋରରୁ ପାକିସ୍ତାନର ଗୁଜରାଟରେ ସ୍ଥାନାନ୍ତରିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପାକିସ୍ତାନୀ ଗଣମାଧ୍ୟମରୁ ଜାଣିବାକୁ ମିଳିଛି ।
ହାଫିଜ ସଇଦକୁ ଗତ ଜୁଲାଇ 17 ତାରିଖରେ ଗିରଫ କରାଯାଇଥିଲା । ପାକିସ୍ତାନର କାଉଣ୍ଟର ଟେରରିଜିମ ଡିପାର୍ଟମେଣ୍ଟ ତାକୁ ମନି ଲଣ୍ଡ୍ରିଂ ଏବଂ ଟେରର ଫଣ୍ଡିଂ ମାମଲାରେ ଗିରଫ କରିଥିଲା ।
ସୂଚନାଯୋଗ୍ୟ ଯେ, ହାଫିଜ ସଇଦ 2008 ରେ ହୋଇଥିବା ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ର ରଚିଥିଲା । ଏହି ଆକ୍ରମଣରେ 166 ଜଣଙ୍କ ମୃତ୍ୟୁ ଘଟିଥିଲା । ଏହା ବ୍ୟତିତ ତା ନାଁରେ ସଂଗଠନ ଜମାତ୍- ଉଦ୍- ଦାଓ୍ଵାକୁ ଚଳାଇବା, ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା, ଆଣ୍ଟି ଟେରୋରିଜିମ୍ ଆକ୍ଟ, ୧୯୯୭ ଅଧୀନରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ, ମନିଲଣ୍ଡରିଂରେ ଆଦି ବିଭିନ୍ନ ସଙ୍ଗୀନ୍ ଅଭିଯୋଗ ରହିଛି ।