ଭୋପାଳ: ବିଡି, ସିଗାରେଟ ପିଇବା, ତମ୍ବାଖୁ, ଖଇନି ଇତ୍ୟାଦି ସେବନ ସ୍ବାସ୍ଥ୍ୟପକ୍ଷରେ କ୍ଷତିକାରକ । ଏହି ସବୁ ବଦଭ୍ୟାସରୁ ମୁକ୍ତ ରହିବା ପାଇଁ ସରକାରୀ ତଥା ବିଭିନ୍ନ ବେସରକାରୀ ସାମାଜିକ ସଙ୍ଗଠନ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନା କରୁଛନ୍ତି । ମାତ୍ର ଏହି ମାମଲାରେ ମଧ୍ୟପ୍ରଦେଶ କମଳନାଥ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ଏକ କୃଷି ସମ୍ମିଳନୀରେ ଦେଇଥିବା ବୟାନ ନୂଆ ବିବାଦ ଛିଡା କରିଛନ୍ତି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି କମଳନାଥ ସରକାର ରାଜ୍ୟରେ ବୃଦ୍ଧଙ୍କୁ ବୃଦ୍ଧାବସ୍ଥାରେ ଭତ୍ତା ବ୍ୟବସ୍ଥା କରିଛନ୍ତି । ବାର୍ଦ୍ଧକ୍ୟ ସମୟରେ ବିଡି ପିଇବା ସହ ଖଇନି ଖାଇବା ପାଇଁ ଅନ୍ୟ ପାଖରେ ହାତ ପତେଇବାକୁ ପଡିବ ନାହିଁ । ଏହି ଭିଡିଓ ଏବେ ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଛି ।
ମନ୍ତ୍ରୀ କହିଛନ୍ତି କମଳନାଥ ସରକାର ରାଜ୍ୟରେ ବିଭିନ୍ନ ଜନକଲ୍ୟାଣ କାମ କରି ପ୍ରଶଂସାଭାଜନ ହୋଇଛନ୍ତି । ଏହା ସହ ସେ କହିଛନ୍ତି ରାଜ୍ୟରେ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମଧ୍ୟ ଖୁସି ଖବର ଦେଇଛନ୍ତି । ଯେଉଁମାନଙ୍କୁ ବିଡି, ସିଗାରେଟ ପିଇବାରେ ଅଭ୍ୟସ୍ତ ସେମାନଙ୍କୁ କାହା ପାଖରେ ହାତ ପତେଇବାକୁ ପଡିବ ନାହିଁ । ପୁଅ ଟଙ୍କା ନଦେଲେ ମଧ୍ୟ ସରକାର ସେମାନଙ୍କୁ ପେନସନ୍ ଦେଉଛନ୍ତି।
ଏହି ବୟାନ ପରେ ମନ୍ତ୍ରୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିରୋଧୀ କମଳନାଥ ସରକାରଙ୍କ ମନ୍ତ୍ରୀଙ୍କ ଏହି ବୟାନକୁ ନିର୍ବୋଧତା ବୋଲି କହିଛନ୍ତି ।