ନୂଆଦିଲ୍ଲୀ: ବଦଳିଲା ଟ୍ରାଫିକ ସମ୍ବନ୍ଧୀୟ ସମସ୍ତ ନିୟମ । ରବିବାର ମଧ୍ୟରାତ୍ରରୁ ହିଁ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇସାରିଛି । ମଟୋର ଭେଇକିଲ ଆକ୍ଟରେ ହୋଇଥିବା ସଂଶୋଧନ ପରେ ଏବେ ଟ୍ରାଫିକ ନିୟମ ଉଲଙ୍ଘନ କଲେ 10 ଗୁଣା ଅଧିକ ଜରିମାନା ଦେବାକୁ ପଡିବ ।
ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ଛାଡି ପୁରା ଭାରତରେ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଛି । ଏହି ଆଇନ ଲାଗୁ ପରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଧରାତିରେ ଟ୍ରାଫିକ ପୋଲିସ ଅଚାନକ ଯାଞ୍ଚ ଅଭିଯାନ ଚଳାଇଥିଲା । ଏଥିରେ ଅନେକ ଗାଡି ଚାଳକ ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି ।
ନୂଆ ଟ୍ରାଫିକ ନିୟମର ଅଧିକାଂଶ ମାମଲାରେ ଜରିମାନା ଅର୍ଥ ବଢି ଯାଇଛି । ନୂଆ ଆଇନ ଅନୁଯାୟୀ ବିନା ଲାଇସେନ୍ସ ଗାଡିର ଅନଧିକୃତ ଉପଯୋଗ ପାଇଁ ଜରିମାନା ଅର୍ଥ 1000ଟଙ୍କାରୁ ବୃଦ୍ଧି କରି 5000ଟଙ୍କା କରାଯାଇଛି। ସେହିପରି ବିନା ଲାଇସେନ୍ସ ଗାଡି ଚଳାଇବା ନେଇ ଜରିମାନା ଅର୍ଥ 500 ଟଙ୍କାକୁ ବଢାଇ ଦିଆଯାଇଛି । ଯଦି ଏପରି କିଏ ଗାଡି ଚଳାଏ, ତାକୁ 5000ଟଙ୍କା ଜରିମାନା ଦେବାକୁ ପଡିବ।
ଅନ୍ୟପକ୍ଷରେ ମଦ୍ୟପାନ କରି ଗାଡି ଚଳାଇଲେ ନୂଆ ନିୟମରେ 6 ମାସ ଜେଲ ଓ 10,000 ଟଙ୍କା ଜରିମାନାର ପ୍ରାବଧାନ ରହିଛି ।
ଯଦି କେହି ନାବାଳକ ଗାଡି ଚଳାଉଥିବା ବେଳେ ଧରାପଡେ ତେବେ 25,000ଟଙ୍କା ଜରିମାନା ଦେବାକୁ ହେବ । ସେହିପରି ସିଟ ବେଲ୍ଟ ନ ଲଗାଇଲେ 1000 ଟଙ୍କା ଜରିମାନା ଦେବାକୁ ହେବ ।